Categories: ମେଟ୍ରୋ

ନାଡ୍‌ ଜାତୀୟ ସମୀକ୍ଷା ବୈଠକ: ୟୁଜିସି ଦ୍ୱାରା ମନୋନୀତ ହେଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନାଡ୍‌(ଜାତୀୟ ପାଠ୍ୟକ୍ରମ ପୈଠଗୃହ)ର ଜାତୀୟ ସମୀକ୍ଷା ବୈଠକ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏହାକୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କେନ୍ଦ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ତଥା ୟୁଜିସିର ଜାତୀୟ ପ୍ରତିନିଧି ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନେ ଯୋଗଦେବେ। ଏହାଛଡ଼ା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକକୁ ନିମନ୍ତ୍ରିତ ହୋଇଛନ୍ତି।

ପ୍ରକାଶଯୋଗ୍ୟ, ୨୦୧୭ ଜୁଲାଇରେ ତତ୍କାଳୀନ ରାଷ୍ଟ୍ରପତି ଏହି ନାଡ୍‌ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହା ଏକ ଅନ୍‌ଲାଇନ୍‌ ପୈଠଗୃହ। ଏଥିରେ ଛାତ୍ରୀଛାତ୍ରମାନଙ୍କର ସମସ୍ତ ସାର୍ଟିଫିକେଟ, ମାର୍କସିଟ୍‌ ଆଦି ପୈଠ ରହିଥାଏ। ଏହାକୁ ଯେକୌଣସି ସମୟରେ ସେମାନେ ବ୍ୟବହାର କରିପାରିବେ। ଏହା ନିରାପଦ ଓ ସ୍ବଳ୍ପ ବ୍ୟୟସାପେକ୍ଷ। ଏହି କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ଆଲୋଚନା ନିମନ୍ତେ ୟୁଜିସି ଦ୍ୱାରା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆହ୍ବାନ କରାଯାଇଛି।