ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ ଯୋଗୁ ଗୁଜରାଟ ପରେ ମୁମ୍ବାଇ-ଦିଲ୍ଲୀରେ ବଢ଼ିଲା କରୋନା ସଂକ୍ରମଣ: ସଞ୍ଜୟ ରାଉତ

ମୁମ୍ବାଇ,୩୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ଶିବସେନା ସଦସ୍ୟ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ ଯୋଗୁ ଗୁଜରାଟ ପରେ ମୁମ୍ବାଇ ଏବଂ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଥିବା ସେ ଅଭିଯୋଗ କରିଛନ୍ତି। ଶିବସେନା ମୁଖପତ୍ର ସାମନାରେ ଏନେଇ ଖବର ପ୍ରକାଶ ପାଇଛି। ଫେବୃୟାରୀ ୨୪ରେ ଅହମଦାବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗସ୍ତ ଅବସରରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମ ହୋଇଥିଲା। ସେତେବେଳେ ଚାଇନା ସମେତ ଅନ୍ୟ ଦେଶରେ ମଧ୍ୟ କରୋନା ସଂକ୍ରମଣ ଆରମ୍ଭ ହୋଇ ସାରିଥିଲା। ଟ୍ରମ୍ପ୍‌ଙ୍କ ସହିତ ଆସିଥିବା ସଦସ୍ୟମାନେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟ ଆସିଥିଲେ। ଏହାଯୋଗୁ ସେସବୁ ଅଞ୍ଚଳରେ କରୋନା ସଂକ୍ରମଣ ହୋଇଥିବା ସଞ୍ଜୟ କହିଛନ୍ତି। ମାର୍ଚ୍ଚ ୨୦ରେ ଗୁଜରାଟରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ଦେଶରେ ଲକ୍‌ଡାଉନ୍‌ ବିନା ଯୋଜନାରେ ଲାଗୁ କରାଯାଇଥିଲା। କିନ୍ତୁ ଏବେ ଏହାକୁ ଉଠାଇ ନେବାର ଦାୟିତ୍ୱ ରାଜ୍ୟ ଗୁଡ଼ିକ ଉପରେ ଛାଡ଼ି ଦିଆଯାଇଛି। ଦେଶରେ ମୋଦି ସରକାରଙ୍କ ଲକ୍‌ଡାଉନ୍‌ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ସଞ୍ଜୟ ସମର୍ଥନ ମଧ୍ୟ କରିଛନ୍ତି।

Share