ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ଯୌତୁକଜନିତ ହତ୍ୟା ଅଭିଯୋଗ

କାମାକ୍ଷାନଗର, ୧୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ଲେକ୍‌ଚର୍ସ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ନବବିବାହିତାଙ୍କ ଶୁକ୍ରବାର ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ କଲ୍ୟାଣୀ ସ୍ବାଇଁ (୨୩)। ମୃତ ମହିଳାଙ୍କ ବାପା ହଟକିଶୋର ସ୍ବାଇଁ ଏହାକୁ ଯୌତୁକଜନିତ ହତ୍ୟା ବୋଲି କହିଛନ୍ତି। ଏ ନେଇ ନଂ. ୧୭୧/୧୯, ଦଫା ୪୮୯ (ଏ), ୩୦୪ (ବି), ୩୦୨, ୩୪ ଓ ୪ ଡିପି ଆକ୍ଟରେ ମାମଲା ରୁଜୁ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ହଟକିଶୋର ସ୍ବାଇଁଙ୍କ ଝିଅ କଲ୍ୟାଣୀ ସେହି ଗ୍ରାମର ତ୍ରିଲୋଚନ ମଲ୍ଲିକଙ୍କ ପୁଅ ଅଭିମନ୍ୟୁଙ୍କୁ ୨୦୧୮ ଡିସେମ୍ବରରେ ବୈଦିକ ରୀତିରେ ବିବାହ କରିଥିଲେ। ଅଭିମନ୍ୟୁ ଭଗୀରଥପୁର ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ବିବାହ ସମୟରେ ଶାଶୁଘର ଲୋକଙ୍କ ଦାବି ଅନୁଯାୟୀ ନଗଦ ୨ଲକ୍ଷ ଟଙ୍କା, ୫ ଭରି ସୁନା ଏବଂ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ବିବାହର କିଛିଦିନ ଶାଶୁଘରେ ରହିବା ପରେ କଲ୍ୟାଣୀ କାମାକ୍ଷାନଗର ଆସି ସ୍ବାମୀଙ୍କ ସହ ଭଡ଼ାଘରେ ରହୁଥିଲେ। ସେଠାରେ ଯୌତୁକ ଦାବି କରି ସ୍ବାମୀ ଅଭିମନ୍ୟୁ ଏବଂ ଶାଶୁ କମଳା ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏ ନେଇ ସେ ଘର ଲୋକଙ୍କୁ ଜଣାଇଥିଲେ। ଶୁକ୍ରବାର ଅପରାହ୍ନରେ ଶେଷଥର ପାଇଁ କଲ୍ୟାଣୀ ବାପାଙ୍କ ସହ ଟେଲିଫୋନରେ କଥା ହୋଇଥିଲେ। ସ୍ବାମୀ ଏବଂ ଶାଶୁ ତାଙ୍କୁ ଖାଇବାକୁ ଦେଉ ନ ଥିବା, ମାଡ଼ ମାରୁଥିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଥିବା କହିଥିଲେ। ତେବେ ରାତି ପ୍ରାୟ ୧୦ଟା ବେଳେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଝିଅର ମୃତଦେହ ପଡ଼ିଥିବା ହଟକିଶୋର କୌଣସି ସୂତ୍ରରୁ ସୂଚନା ପାଇଥିଲେ। ଯୌତୁକ ପାଇଁ ସ୍ବାମୀ ଏବଂ ଶାଶୁ ମିଶି କଲ୍ୟାଣୀଙ୍କୁ ହତ୍ୟା କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଅଭିମନ୍ୟୁ ଫେରାର ଅଛନ୍ତି। ଅଭିଯୁକ୍ତା କମଳାଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଥାନାଧିକାରୀ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି।