ନନ୍ଦିନୀ ଦେବୀ ଥିଲେ ସାଲିସ୍‌ବିହୀନ ନେତ୍ରୀ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳ ଗୋପବନ୍ଧୁ ଟାଉନହଲଠାରେ ରବିବାର ସନ୍ଧ୍ୟା ୬ଟାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟିକା ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ପ୍ରଭାସିନୀ ମହାଖୁଡ କହିଲେ ଯେ, ନନ୍ଦିନୀ ଦେବୀ ଜଣେ ସାଲିସବିହୀନ ନେତ୍ରୀ ଓ ସୁସାହିତି୍ୟକା ଥିଲେ। ରାଜ୍ୟ ମହିଳା ବିଜେଡି ନେତ୍ରୀ ସାଗରିକା ମିଶ୍ର ଅତିଥି ଭାବେ ଯୋଗଦେଇ ନନ୍ଦିନୀ ଦେବୀଙ୍କ କୃତି ଓ ଅବଦାନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ମନୋରଞ୍ଜନ ନନ୍ଦ ଉତ୍ସବରେ ଅଧ୍ୟକ୍ଷତା କରି ନନ୍ଦିନୀ ଦେବୀ ବାସ୍ତବରେ ଅଗ୍ନିକନ୍ୟା ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି। ସାମ୍ୟବାଦ ଚେତନାରେ ପ୍ରଭାବିତ ହୋଇ ଗରିବ ଲୋକଙ୍କ ସେବାକରି ସେ ଜନନାୟିକା ଭାବେ ଆଦୃତ ହୋଇଥିଲେ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସମାଜ ଗଠନରେ ନାରୀର ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ଭାଗନେଇ ଛାତ୍ର ମଙ୍ଗରାଜ ମହାପାତ୍ର, ଛାତ୍ରୀ ଆଦ୍ୟାଶା ନନ୍ଦ ନିଜସ୍ବ ମତ ଉପସ୍ଥାପନ କରିଥିଲେ। ପରେ ନନ୍ଦିନୀ ଦେବୀ ସମ୍ମାନରେ କବି ଅଥୟ କୁମାର ସାହୁ, ସାମାଜିକ କର୍ମୀ ଶାନ୍ତିଲତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ହେମନ୍ତ କୁମାର ନାୟକ, ଅମରେଶ ମହାପାତ୍ର, ଅନୁପମ ଦେବାଶିଷ ମିଶ୍ର ଓ ନୃତ୍ୟଗୁରୁ ଆଶିଷ କୁମାର ପାଲଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ମାନସ କୁମାର ନନ୍ଦ ସ୍ବାଗତ ଭାଷଣ ଓ ଡ. ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିପୂର୍ବରୁ ଅପରାହ୍ନରେ ସଂଯୁକ୍ତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶିଳ୍ପୀ ପରେଶଚନ୍ଦ୍ର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ମାକ୍ଷିତମାମି ମହାପାତ୍ର ଓ କବିତା ମହାପାତ୍ର କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ନନ୍ଦିନୀ ଦେବୀଙ୍କ ଜୟନ୍ତୀ ପାଳନ କରିବାକୁ ସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ଉତ୍ସବରେ ବହୁ ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।