ନଦୀ ପାରହୋଇ ପହଞ୍ଚିଲେ କନ୍ୟାଘରେ

ଭୋପାଳ: ବାହାଘର ପାଇଁ କନ୍ୟାଘରକୁ ଗାଡ଼ି ନେଇଯିବା ପାଇଁ ମିଳିଲାନି ଅନୁମତି। ସେଥିପାଇଁ ସେ ନଦୀ ପାର ହୋଇ ପହଞ୍ଚିଗଲେ କନ୍ୟା ଘରେ, ଆଉ ବିବାହ ପରେ ସେଇ ନଦୀ ବାଟେ ବି କନ୍ୟାକୁ ଧରି ଘରକୁ ଚାଲି ଆସିଲେ। ମଧ୍ୟପ୍ରଦେଶର ବାଲାଘାଟରେ ଏମିତିଭାବେ ଏକ ବାହାଘରକୁ ନେଇ ଏବେ ଚର୍ଚ୍ଚା।
ମହାରାଷ୍ଟ୍ର ଗୋନ୍ଦିଆ ଜିଲାର ଧାପେୱାଡ଼ା ଗାଁର ଇନ୍ଦ୍ରମେଧଙ୍କର ବିବାହ ସ୍ଥିର ହୋଇଥିଲା ମଧ୍ୟପ୍ରଦେଶର ବାଲାଘାଟର ଓକୋଲା ଗାଁରେ। ତେଣୁ ବିବାହ ପାଇଁ ଇନ୍ଦ୍ରମେଧଙ୍କ ଘର ଲୋକେ ଗାଡ଼ି ନେଇ ଯିବା ପାଇଁ ପ୍ରଶାସନର ଅନୁମତି ମାଗିଥିଲେ। ମାତ୍ର ମହାରାଷ୍ଟ୍ରରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏଥିପାଇଁ ଅନୁମତି ଦିଆଯାଇ ନ ଥିଲା। ଏହାପରେ ଇନ୍ଦ୍ରମେଧ ନଦୀ ପାର ହୋଇ ଯିବା ପାଇଁ ସ୍ଥିର କରିଥିଲେ। ତେଣୁ ନିଜର ମାତ୍ର ଛଅ ଜଣ ନିକଟ ସମ୍ପର୍କୀୟଙ୍କ ସହିତ ସେ ନଦୀ ପାର ହୋଇ ମଧ୍ୟପ୍ରଦେଶରୁ ମହାରାଷ୍ଟ୍ରରେ ପହଞ୍ଚି ଯାଇଥିଲେ।
ଏହି ରାସ୍ତାରେ ବି ତାଙ୍କୁ କନ୍ୟାଘର ଲୋକେ ସ୍ବାଗତ କରି ନେଇ ଯାଇଥିଲେ। ଆଉ ବିବାହ ପରେ ଏହି ରାସ୍ତା ଦେଇ ବିଦା କରିଥିଲେ। ବିବାହ ସମୟରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। କିନ୍ତୁ ପ୍ରଶାସନକୁ ଏ ସମ୍ପର୍କରେ ଖବର ମିଳିବା ମାତ୍ରେ ତୁରନ୍ତ ଏହି ରାସ୍ତାକୁ ବି ସିଲ୍‌ କରି ଦିଆଯାଇଥିଲା। କାହିଁକି ନା ଇନ୍ଦ୍ରମେଧଙ୍କ ଭଳି ଏହି ରାସ୍ତାରେ ଯଦି ଅନ୍ୟମାନେ ଯିବା ଆସିବା କରିବେ ତେବେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ବାଧ୍ୟ ହୋଇ ପ୍ରଶାସନ ଏହି ପଦକ୍ଷେପ ନେଇଛି।

Share