ନଗଡ଼ାରେ ରାଜ୍ୟ ଖଦିବୋର୍ଡ ସଚିବ: ଜୁଆଙ୍ଗଙ୍କୁ ଅଧିକ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ

କାଳିଆପାଣି,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଗୁରୁବାର ରାଜ୍ୟ ଖଦିବୋର୍ଡ଼ ସଚିବ ସରୋଜ ପଟେଲ ଗସ୍ତକରି ଜୁଆଙ୍ଗ ଜନଜାତିଙ୍କ ଜୀବନଜୀବିକା ପରିବର୍ତ୍ତନ ସମ୍ପର୍କରେ ତଦାରଖ କରିଛନ୍ତି। ଏହି ଗସ୍ତରେ ପଟେଲଙ୍କ ନେତୃତ୍ୱରେ ଜିଏମ୍‌ ଆର୍‌ଆଇସି ଜଗତପୁର ମନୋଜ ବେହେରା, ଜୀବିକା ମିଶନ ଜିଲା ପ୍ରକଳ୍ପ ଅଧିକାରୀ ବନଜାକାନ୍ତ ମାହାରୀଙ୍କ ସହ ଏକ ଟିମ୍‌ ସାମିଲ ହୋଇଥିଲେ। ନଗଡ଼ାରେ ପହଞ୍ଚତ୍ବା ପରେ ଖଦି ବୋର୍ଡ ସଚିବ ପ୍ରଥମେ ଜୁଆଙ୍ଗମାନେ କରିଥିବା ବିଭିନ୍ନ ପ୍ରକାର ଚାଷ ବୁଲି ଦେଖିଥିଲେ। ପରେ ନଗଡ଼ା ଜୁଆଙ୍ଗଙ୍କୁ ଅଧିକରୁ ଅଧିକ ରୋଜଗାରକ୍ଷମ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ନଗଡ଼ା ପରି ପାହାଡ଼ିଆ ଅଞ୍ଚଳରେ କମ୍‌ ଖର୍ଚ୍ଚରେ ଅଧିକ ଅର୍ଥ ରୋଜଗାର କରିପାରୁଥିବା ପରି ବାଉଁଶ, ମହୁ, ଓ ହଳଦୀ ଚାଷ ଉପରେ ଆଲୋଚନା କରିଥିଲେ। ପୂର୍ବରୁ ବାଉଁଶରେ ତିଆରି ଟୋକେଇ, ଝୁଡ଼ି, କୁଲା, ଫୁଲଦାନୀ ପରି ବିଭିନ୍ନ ପ୍ରକାର ଗୃହ ବୃବ୍ୟହୃତ ଜିନିଷ, ମହୁ ଚାଷ ପାଇଁ ପ୍ରଶିକ୍ଷଣ ଓ ଆବଶ୍ୟକ ଉପକରଣ ଦିଆଯାଇଛି। ହେଲେ ହଳଦୀ ଚାଷ ଉପରେ ଗୁରୁତ୍ୱ ଦିଆଯାଇ ନ ଥିଲା। ନଗଡା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ହଳଦୀ ଚାଷ ପ୍ରୋତ୍ସାହନ ପାଇଁ ଜୁଆଙ୍ଗମାନେ ଦାବି କରିଥିଲେ। ଏ ସମ୍ପର୍କରେ ଜିଏମ୍‌ ଆଇଆରସି ଜଗତପୁର ମନୋଜ ବହେରାଙ୍କ ସହ ବିଚାରବିମର୍ଶ କରିଥିଲେ। ଏନ୍‌ଜିଓ ଟ୍ରିକିଲ ଅଫ୍‌ ଏସପିଓ ମାନସ ରଞ୍ଜନ ଦାସ ଓ ପ୍ରକଳ୍ପ ସଂଯୋଜକ ବିଷ୍ଣୁପଦା ଜେନାଙ୍କୁ ନଗଡା ଜୁଆଙ୍ଗଙ୍କ ଜୀବନଜୀବିକା ପରିବର୍ତ୍ତନ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ନଗଡାରେ ଉତ୍ପାଦିତ ଚାଷରୁ ବାହାରୁ ଥିବା ଅମୃତ ଭଣ୍ଡା, ମୂଳା, ମାଟିଆଳୁ, କନ୍ଦମୂଳ ଆଦିକୁ ବାହାର ବଜାର ପର୍ଯ୍ୟନ୍ତ ପହଞ୍ଚାଇ ଉଚିତ୍‌ ମୂଲ୍ୟରେ ବିକ୍ରୟ କରିବା ପାଇଁ ଧ୍ୟାନ ଦେବାକୁ ବିଭିନ୍ନ ବିଭାଗ ସହ ଆଲୋଚନା କରଥିବା ଜଣାପଡିଛି।