ଧିମା ବ୍ୟାଟିଂ ଲାଗି ଧୋନୀଙ୍କୁ ସମାଲୋଚନା

ସାଉଥାମ୍ପଟନ,୨୩ା୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁଣି ଥରେ ସମାଲୋଚନା କରାଯାଇଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧୋନୀ ଧିମା ବ୍ୟାଟିଂ କରିଥିଲେ, ଯେଉଁ ମ୍ୟାଚ୍‌କୁ ଭାରତୀୟ ଦଳ ୧୧ ରନ୍‌ରେ ଜିତି ନେଇଥିଲା। ଶନିବାର ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଆଫଗାନ ସ୍ପିନରଙ୍କ ବଲରେ ସହଜରେ ରନ୍‌ କରିପାରି ନ ଥିଲେ। ଫଳରେ ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୨୪ ରନ୍‌ କରିପାରିଥିଲା। ୫ମ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଧୋନୀ ୫୨ ବଲର ସମ୍ମୁଖୀନ ହୋଇ ମାତ୍ର ୨୮ ରନ୍‌ କରିିବାକୁ ସକ୍ଷମ ହୋଇଥିଲେ। ଏହି ଇନିଂସରେ ୩୭ ବର୍ଷୀୟ ବ୍ୟାଟ୍ସମ୍ୟାନ ୩ ଚୌକା ଲଗାଇଥିଲେ। କିନ୍ତୁ ଷ୍ଟ୍ରାଇକ ରୋଟେଟ୍‌ ନ କରିପାରିବାରୁ କ୍ରିକେଟ ପ୍ରଶଂସକମାନେ ତାଙ୍କୁ ସମାଲୋଚନା କରିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ବୟସ ହୋଇଯାଇଥିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା। କ୍ୟାରିୟରର ଅନ୍ତିମ ଦୁଇ ବର୍ଷରେ ଗାଙ୍ଗୁଲି ଧୋନୀଙ୍କଠାରୁ ବହୁତ ଭଲ ବ୍ୟାଟ୍ସମ୍ୟାନ ଥିଲେ। ଧୋନୀ ତୁରନ୍ତ ଅବସର ନେବା ଉଚିତ ବୋଲି ଜଣେ ପ୍ରଶଂସକ ଟୁଇଟ୍‌ କରିଛନ୍ତି। ୪୫ତମ ଓଭରରେ ଧୋନୀ ଛକା ମାରିବାକୁ ଉଦ୍ୟମ କରି ରଶିଦ ଖାନଙ୍କ ବଲରେ ଷ୍ଟମ୍ପିଂ ହୋଇଥିଲେ। କ୍ୟାରିୟରରେ ଦ୍ୱିତୀୟ ଥର ଲାଗି ସେ ଉଇକେଟକିପରଙ୍କ ଦ୍ୱାରା ଆଉଟ୍‌ ହୋଇଛନ୍ତି।

Share