Categories: ମେଟ୍ରୋ

ଧାରଣାରତ ଶିକ୍ଷକଙ୍କୁ ପୋଲିସର ଗୋଇଠା: ସୋସିଆଲ ମିଡିଆରେ ଭାଇରାଲ ପରେ ବଢୁଛି ବିବାଦ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବି ନେଇ କମ୍ପ୍ୟୁଟର ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଦୀର୍ଘଦିନ ହେବ ଧାରଣା ଦେଇଛନ୍ତି। ସେମାନେ ଦାବି ଜଣାଇବା ପାଇଁ ଶନିବାର ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ହେଲେ ସେଠାରେ ପୋଲିସ ସେମାନଙ୍କୁ ଗୋଇଠା ମାରିବା ସହ ଶାର୍ଟ କଲର ଧରି ଭିଡ଼ିଭିଡ଼ି ନେଇଥିଲେ। ଜଣେ ପୋଲିସ ଅଧିକାରୀ କମ୍ପ୍ୟୁଟର ଶିକ୍ଷକଙ୍କୁ ଗୋଇଠା ମାରିବାର ଫଟୋ ଓ ଭିଡିଓ ଏବେ ଭାଇରାଲ ହୋଇଛି। ଯାହାକୁ ନେଇ ବିବାଦ ବଢୁଥିବାବେଳେ କମିଶନରେଟ ପୋଲିସ ପୁଣି ବଦ୍‌ନାମ୍‌ର ଚର୍ଚ୍ଚା ପରିସରକୁ ଆସିଛି। ପୋଲିସର ଏଭଳି ଆଚରଣଙ୍କୁ ଶିକ୍ଷକମାନେ ନିନ୍ଦା କରିଛନ୍ତି। ଗୋଇଠା ମାଡ଼ ଦ୍ୱାରା ସମ୍ପୃକ୍ତ ଶିକ୍ଷକଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହେଉଥିବା ଓ ଏହା ୫-ଟିକୁ ଉଲ୍ଲଂଘନ କରୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। ଗୋଇଠା ମାରୁଥିବା ପୋଲିସ ଅଧିକାରୀ ଜଣକ କିଏ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ସେ ଜଣେ ଇନ୍ସପେକ୍ଟର ର଼୍ୟାଙ୍କର ଅଧିକାରୀ ବୋଲି କୁହାଯାଉଛି। ସରକାର ତୁରନ୍ତ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶିକ୍ଷକମାନେ ଦାବି କରିଛନ୍ତି।