ଧାନ ରୋଇବା ବେଳେ ବଜ୍ରପାତ, ମହିଳା ମୃତ

ପାତ୍ରପୁର,୧୭ା୮(ଡି.ଏନ.ଏ.): ଜରଡ଼ା ଥାନା ପାତ୍ରପୁର ବ୍ଲକ ଗୁଣ୍ଡ୍ରା ପଞ୍ଚାୟତ ରାଙ୍କୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ବିଲରେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସପଙ୍ଗ ଗ୍ରାମର ପାର୍ବତୀ ନାଇକ(୫୫)। ସପଙ୍ଗ ଗ୍ରାମର ପାର୍ବତୀଙ୍କ ସହ ୧୧ ମହିଳା ଶନିବାର ସକାଳୁ ଜଣେ ବ୍ୟକ୍ତିଙ୍କ ଜମିରେ ଧାନ ରୋଇବା କାମରେ ଲାଗିଥିଲେ।  ଅପରାହ୍ନରେ ସମସ୍ତେ ଜମି ହିଡ଼ରେ ବସି ଖାଇଥିଲେ। ପାର୍ବତୀ ଶୀଘ୍ର ଖାଇସାରି ପୁଣି ଧାନ ରୋଇବାକୁ ବିଲରେ ପଶିଥିବା ବେଳେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା। ବଜ୍ରାପାତରେ ପାର୍ବତୀ ଉକ୍ତ ଜମିରେ ଅଚେତ ହୋଇପଡ଼ିଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡ଼ାକ୍ତର ମୃତ ଘୋଷଣା କରିଥିଲେ।  ଖବରପାଇ ଜରଡ଼ା ଥାନା ପୋଲିସ, ତହସିଲ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି। ସୂଚନାଯୋଗ୍ୟ, ମାସକ ତଳେ ପାର୍ବତୀଙ୍କ ସ୍ବାମୀ ମୋହନଙ୍କ ମୃତ୍ୟୁ ଘଟିଥିଲା।