ଧାନ, ବାଦାମ ସବ୍‌ସିଡି ହେରଫେର

ଘସିପୁରା,୬।୨(ଡି.ଏନ.ଏ.)-ଘସିପୁରା ବ୍ଲକ ଦେଉଗାଁ ପଞ୍ଚାୟତ ଅନ୍ତର୍ଗତ କୋଚିଆନେଣ୍ଡି ଗ୍ରାମର ଚାଷୀଙ୍କ ନାମରେ ଧାନ ଓ ବାଦାମ ଚାଷ ବାବଦକୁ ଆସିଥିବା ସବ୍‌ସିଡି ଅର୍ଥ ବାଟ ମାରଣା ହୋଇଥିବା ଅଭିଯୋଗରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ଶ୍ରୀ ପ୍ରଣାଳୀରେ ଧାଡ଼ିରୁଆ ଧାନଚାଷ ଓ ବାଦାମ ଚାଷ ପାଇଁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ସବସିଡି ଅର୍ଥ ଯୋଗାଇ ଦେଉଥିବା ବେଳେ ଉକ୍ତ ଗ୍ରାମର ପ୍ରକୃତ ଚାଷୀଙ୍କୁ ସବସିଡି ଅର୍ଥ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ଉକ୍ତ ଗ୍ରାମର ପ୍ରାୟ ୬ଏକର ଜମିରେ ବାଦାମ ଚାଷ କରିବା ପାଇଁ ୧୮ଜଣ ଚାଷୀଙ୍କୁ ହିତାଧିକକାରୀ ଭାବେ ଚୟନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦାଶରଥି ଜେନା, ମୁରଲୀ ଚକ୍ର ଓ ଅନାଥ ଜେନାଙ୍କୁ ସବସିଡି ଅର୍ଥ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କୃଷି କାର୍ଯ୍ୟାଳୟରେ ଯୋଗାଯୋଗ କରିବାରୁ ତାଙ୍କ ନାମରେ ସବସିଡି ଅର୍ଥ ପ୍ରଦାନ କରାଯାଇ ସାରିଥିବା ସେ ଜାଣିବାକୁ ପାଇଥିଲେ। ସେହିପରି ଧାଡ଼ିରୁଆ ଚାଷ ପାଇଁ ଉକ୍ତ ଗ୍ରାମର ବହୁ ଚାଷୀଙ୍କଠାରୁ କୃଷି କର୍ମଚାରୀ ମାନେ ଆଧାରକାର୍ଡ, ଭୋଟର ପରିଚୟ ପତ୍ର, ଫଟୋ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ନେଇ ମୋଷ୍ଟର ରୋଲରେ ଦସ୍ତଖତ କରାଇଥିଲେ। ତେବେ ସବସିଡି ବାବଦକୁ ଅର୍ଥ ସେମାନଙ୍କ ନାମରେ ଉଠାଇ ନିଆଯାଇଥିବା ବେଳେ ସେମାନଙ୍କୁ ଅର୍ଥ ମିଳି ନ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ଦେଓଗାଁ ପଞ୍ଚାୟତର ୱାର୍ଡ ମେମ୍ବର ବସନ୍ତ ଜେନା ମଧ୍ୟ ଏଭଳି ଠକେଇର ଶିକାର ହୋଇଥିବା କହିଛନ୍ତି। ୨୦୧୮-୧୯ରେ ସେ ୦.୪ ହେକ୍ଟର ଚାଷ ଜମିରେ ଶ୍ରୀ ପ୍ରଣାଳୀରେ ଧାଡ଼ିରୁଆ ଧାନଚାଷ କରିଥିଲେ। ହିତାଧିକାରୀ ତାଲିକାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସବସିଡି ବାବଦକୁ ଅର୍ଥ ତାଙ୍କ ନାମରେ ଉଠାଯାଇଛି। ମାତ୍ର ସେ କୌଣସି ଅର୍ଥ ପାଇ ନ ଥିବା ଅଭିଯୋଗ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ତଦନ୍ତ କରିବାକୁ ଚାଷୀ ମାନେ ଦାବି କରିଛନ୍ତି। ଅପରପକ୍ଷେ ଏହି ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଖୁବଶୀଘ୍ର ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସହକାରୀ କୃଷି ଅଧିକାରୀ ସୁମିତ ସେଠୀ କହିଛନ୍ତି।