ଧାନ ଫସଲରେ କାଣ୍ଡବିନ୍ଧା ପୋକ, ଚିନ୍ତାରେ ଚାଷୀ

ଡୁବୁରୀ,୧୬ା୯(ଡି.ଏନ୍‌.ଏ.)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ ଡୁବୁରୀ ଓ ଆଖପାଖ ଅଞ୍ଚଳର ଧାନ ଫସଲରେ ଏବେ କାଣ୍ଡବିନ୍ଧା ପୋକଙ୍କ ପାଦୁର୍ଭାବ ବୃଦ୍ଧି ପାଇଛି। ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ସ୍ବଳ୍ପ ଦିନରେ ଅମଳ ହେଉଥିବା ସ୍ବର୍ଣ୍ଣ ଧାନ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷୋପଯୋଗୀ ବର୍ଷା ଓ ଅନ୍ୟାନ୍ୟ କାରଣ ଯୋଗୁ ଚାଷ କାର୍ଯ୍ୟ ଆଗେଇ ପାରିଥିବାରୁ ଚାଷୀ ଭଲ ଅମଳ ଆଶା ରଖିଥିଲେ। ମାତ୍ର ଗତ ସପ୍ତାହ ହେବ ଧାନ ଗଛରେ କାଣ୍ଡବିନ୍ଧା ପୋକର ପାଦୁର୍ଭାବ ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି। ଡୁବୁରୀ ଓ ଏହାର ଆଖ ପାଖ ଅଞ୍ଚଳରେ ଏପରି ହୋଇଛି ତାହା ନୁହେଁ, ବ୍ଲକ ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମିରେ ମଧ୍ୟ କାଣ୍ଡବିନ୍ଧା ପୋକଙ୍କ ପାଦୁର୍ଭାବ ଦେଖାଦେଇଥିବା ଜଣାପଡିଛି। ହେଲେ ନିରାକରଣ ଦିଗରେ ସୁକିନ୍ଦା ବ୍ଲକ କୃଷି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଚାଷୀ ଧାନ ଗଛରେ ରୋଗ ପୋକ ଦମନ ପାଇଁ ବଜାରରୁ ଅତି ଚଢ଼ା ଦରରେ କୀଟନାଶକ ଔଷଧ କିଣି ଖର୍ଚ୍ଚାନ୍ତ ହେବାକୁ ବାଧ୍ୟ ହେଉଥିବା କହିଛନ୍ତି। ଅନୁକୂଳ ପରିସ୍ଥିତି ଚଳିତ ବର୍ଷ ଧାନ ଚାଷ ସୁରୁଖୁରୁରେ ଆରମ୍ଭ ହୋଇଥିଲା। ଏବେ ଧାନ ଗଛ ଭଲ ପିଲ ଦେଇ ହୋଇଥିବା ବେଳେ କାଣ୍ଡବିନ୍ଧା ପୋକଙ୍କ ଯୋଗୁ ଗଛ ମରିଯାଉଛି। ରୋଗ ପୋକ ଦମନ କ୍ଷେତ୍ରରେ କୃଷି ବିଭାଗ ଉଦ୍ୟମ ନ କଲେ ପରିଣତି ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ବହୁ ଚାଷୀ ଆଶା ବ୍ୟକ୍ତ କରିଛନ୍ତି। ରୋଗ ପୋକର ଦମନ ପାଇଁ କୀଟନାଶକ ଔଷଧ ସିଞ୍ଚନ କରୁଥିଲେ ମଧ୍ୟ ରୋଗ ପୋକ ଦମନ ହୋଇପାରୁ ନ ଥିବା ନୀଳମଣି ଜେନା, ଟୁକୁ ନାୟକ, ବାବାଜୀ ନାୟକ, ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ବହୁ ଚାଷୀ କହିଛନ୍ତି। ଏ ନେଇ ବ୍ଲକ କନିଷ୍ଠ କୃଷୀ ଅଧିକାରୀ ଜିତେନ କୁମାର ପଣ୍ଡାଙ୍କୁ ପଚାରିବାରୁ, କାଣ୍ଡବିନ୍ଧା ରୋଗ ପୋକ ଦମନ ପାଇଁ ସରକାରଙ୍କ ପକ୍ଷରୁ ରିହାତି ମୂଲ୍ୟରେ କୀଟନାଶକ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ା ଚାଷୀମାନେ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରୁ ସାର ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।