ଧାନରେ ଅଜଣା ରୋଗ, ଚିନ୍ତାରେ ଚାଷୀ

ସମ୍ବଲପୁର, ୨୯।୪ (ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ତବଲା ଓ ଯୁଯୁମୁରା ବ୍ଲକ କୁକୁଡାପାଲି ଅଞ୍ଚଳରେ ଅଜଣା ରୋଗରେ ଧାନ ଚାଷ ନଷ୍ଟ ହେଉଛି। କୀଟନାଶକ ସିଞ୍ଚନ କଲେ ମଧ୍ୟ ପ୍ରତିକାର ହୋଇପାରୁନାହିଁ । ଏହାକୁ ନେଇ ଚାଷୀ ସଂଗଠନ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ବୁଧବାର ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ ରାୟଙ୍କ ସହିତ ଏକ ଟିମ୍‌ ଉକ୍ତ ଅଞ୍ଚଳ ପରିଦର୍ଶନ କରିଛି। ଚାଷୀଙ୍କ ସହ ଟିମ୍‌ ଆଲୋଚନା କରି ଧାନ କେଣ୍ଡାର ନମୁନା ସଂଗ୍ରହ କରିଛନ୍ତି। କୀଟନାଶକ ସିଞ୍ଚନ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଚାଷୀମାନେ କରାମାଡ ଓ ରୋଗରେ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ଦାବି କରିଛନ୍ତି। ଚାଷୀ ବିପିନ ଭୋଇ, କ୍ଷୀରୋଦ ମହାନନ୍ଦ, ରାହାସ ମହାନନ୍ଦ, ହାଲୁଆ ମହାନନ୍ଦ, କୃଷ୍ଣ ଭୋଏ ପ୍ରମୁଖଙ୍କ କ୍ଷେତକୁ କୃଷି ବିଭାଗ ଟିମ୍‌ ପରିଦର୍ଶନ କରିଛି। ସୂଚନାଯୋଗ୍ୟ, ଏପ୍ରିଲ ୨୧ ତାରିଖ ଅଦିନିଆ ବର୍ଷା ଓ କରାମାଡରେ ଫସଲ ନଷ୍ଟ ହୋଇଛି। ଏବେ ଯାହା ବଞ୍ଚତ୍ଛି ସେଥିରେ ଅଜଣା ରୋଗରେ ଦେଖା ଦେଇଛି। ଏଣୁ ଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି।