ଧରିତ୍ରୀ ପ୍ରଭାବ: ଚିକିତ୍ସା ପାଇଁ ସହାୟତା ରାଶି ପଠାଇଲେ ପ୍ରବାସୀ ଭାରତୀୟ

ବରଗଡ଼ ଅଫିସ୍‌,୧।୫-
ନିଆଁରେ ପୋଡ଼ି ହୋଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ଗୁରୁତର ଆହତ ହୋଇଛନ୍ତି । ସେ ବର୍ତ୍ତମାନ କଟକ ଏସ୍‌ସିବି ମେଡ଼ିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଆହତ ଶିଶୁକନ୍ୟଙ୍କ ଉଚ୍ଚତର ଚିକିତ୍ସାର ଆବଶ୍ୟକତା ରହିଛି । ମାତ୍ର ପରିବାର ଲୋକେ ନିହାତି ଗରିବ ହୋଇଥିବା ଯୋଗୁ ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଏ ନେଇ ଧରିତ୍ରୀ ପୋର୍ଟାଲ, ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା । ତେବେ ଧରିତ୍ରୀର ପୋର୍ଟାଲ ଖବରକୁ ପଢ଼ି କାନାଡ଼ାରେ ଅବସ୍ଥାନ କରୁଥିବା ପ୍ରବାସୀ ଭାରତୀୟ ତଥା ବରଗଡ଼ ଜିଲା ଅତାବିରା ବ୍ଲକ ବାବେବିରା ଗ୍ରାମର ମୂଳ ବାସିନ୍ଦା ପ୍ରଫେସର କ୍ଷୀରସାଗର ନାଏକ ରୁନିଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ସେ ଆମ ପ୍ରତିନିଧିଙ୍କୁ ରୁନିଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାଗିବା ପରେ ସେହି ଆକାଉଣ୍ଟରେ ୧୫ହଜାର ଟଙ୍କା ସହାୟତା ରାଶି ପଠାଇଛନ୍ତି । କାନାଡ଼ାର ୱାଟର ଲୁ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ନାଏକଙ୍କ ଏଭଳି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।