ଧରିତ୍ରୀରେ ଖବର ପ୍ରକାଶ ପରେ ମନ୍ଦିର ରାସ୍ତା ସଫେଇ

ହିଞ୍ଜିଳିକାଟୁ,୧୪।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଲକ୍ଷ୍ମୀବଜାର ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ସାମ୍ନାରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହି ଜନ ଅସନ୍ତୋଷ ସୃଷ୍ଟି କରୁଥିଲା। ବର୍ଷା ହେବାରୁ ଆବର୍ଜନା ଜମି ରହି ଦୁର୍ଗନ୍ଧ ହେଉଥିଲା। ଏନେଇ ‘ଧରିତ୍ରୀ’ରେ ରବିବାର ଖବର ପ୍ରକାଶ ପାଇବା ପରେ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ନିଜେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଉପସ୍ଥିତ ରହି ମନ୍ଦିର ସାମ୍ନାରେ ଥିବା ଆବର୍ଜନା ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ମନ୍ଦିର ନିକଟକୁ ଲାଗି ରହିଥିବା ଡ୍ରେନ୍‌ ମଧ୍ୟ ନିୟମିତ ସଫେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜନସାଧାରଣ ଓ ମନ୍ଦିର କମିଟି ସହ ପୌର କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳକୁ କିପରି ପରିଷ୍କାର କରାଯିବ ସେଥିନେଇ ଆଲୋଚନା କରିଥିଲେ। ଆବର୍ଜନାକୁ ଏଣେତେଣେ ପକାଇ ପରିବେଶ ପ୍ରଦୂଷିତ କରୁଥିବା ଲୋକଙ୍କ ପ୍ରତି କଡ଼ା ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ପୌର କର୍ତ୍ତୃପକ୍ଷଙ୍କ ପଦକ୍ଷେପ ପରେ ଅଞ୍ଚଳବାସୀ ସନ୍ତୋଷ ପ୍ରକାଶ କରିଛନ୍ତି।