ଧରାବିରେ ୪୩ ସଂକ୍ରମିତ, ୪ ମୃତ

ନୂଆଦିଲ୍ଲୀ,୧୩ା୪: ଏସିଆ ମହାଦେଶର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧରାବିରେ ୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରବିବାର ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪୩ରେ ପହଞ୍ଚତ୍ଛି। ୧୨ ଦିନ ପୂର୍ବରୁ ଏଠାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଶନିବାର ଏହି ଅଞ୍ଚଳର ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର କସ୍ତୁରବା ହସ୍ପିଟାଲରେ ମୃତ୍ୟୁ ହେବା ପରେ ବସ୍ତି ଅଞ୍ଚଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚତ୍ଛି। ନୂଆ ୧୫ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ ଶନିବାର ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ଜଣାପଡିବା ପରେ କେଉଁମାନେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଅଛି, ପ୍ରଶାସନ ତାହାର ଅନୁଧ୍ୟାନ କରୁଛି। ମାତ୍ର ୨୪୦ ହେକ୍ଟର ଆୟତନ ବିଶିଷ୍ଟ ଏହି ବସ୍ତିରେ ୮ ଲକ୍ଷ ୫୦ ହଜାର ଲୋକ ବାସ କରୁଥିବାରୁ ଏହା ଚିନ୍ତା ବଢ଼ାଇଦେଇଛି। ଅର୍ଥାତ୍‌ ଏଠାରେ ବର୍ଗ କିଲୋମିଟର ପ୍ରତି ଜନସଂଖ୍ୟା ଘନତ୍ୱ ୬୬,୦୦୦ ରହିଛି। ଲକ୍‌ଡାଉନ ଯେପରି କଡ଼ାକଡ଼ି ପାଳନ ହେବ ସେଥିପାଇଁ ପୋଲିସ, ପ୍ରଶାସନ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି।

Share