ଧରାପଡ଼ିଲେ ଚୋର, ଥାନାରେ ଅଟକ

ଆରଡ଼ି,୯।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ମଠଡିହ ଠାରେ ଥିବା ଓଳଗ ଗ୍ରାମର ଅଙ୍କିତ ନାୟକଙ୍କ ମୋବାଇଲ ମରାମତି ଦୋକାନରୁ ରବିବାର ରାତିରେ ଏକ ଲାପଟପ୍‌, ପ୍ରିଣ୍ଟର ମେଶିନ, କିଛି ନୂଆ ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ସୋମବାର ସକାଳୁ କୌଣସି ସୂତ୍ରରୁ ଖବର ପାଇ ଅଙ୍କିତଙ୍କ ବଡ଼ଭାଇ ସତ୍ୟପ୍ରକାଶ ଏକ ଘରୋଇ ବସ୍‌ର ହେଲପର ଦୀପକ ବାରିକଙ୍କୁ ପରାରିଥିଲେ। ସେ ଚୋରି କରିଥିବା ମାନିବା ସହ ଦୋହରା ପାଟଣାର ୨ଜଣ ଯୁବକ ତାଙ୍କ ସହ ଚୋରିରେ ସଂପୃକ୍ତ ଥିବା କହିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଦୀପକଙ୍କୁ ଆରଡ଼ି ଫାଣ୍ଡି ପୋଲିସର ଜିମା ଦେଇଥିଲେ। ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଦୋହରା ପାଟଣାର ଜଣେ ଯୁବକ ସହ ଦୀପକଙ୍କୁ ଧୂଷୁରୀ ଥାନାକୁ ପଠାଇ ଦେଇଛନ୍ତିି। ସେଠାରେ ୨ଜଣକୁ ପଚରାଉଚରା ଚାଲିଛି ଓ ଖୁବ୍‌ଶୀଘ୍ର ଚୋରି ସାମଗ୍ରୀ ଉଦ୍ଧାର କରାଯିବ ବୋଲି ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ ସୂଚନା ଦେଇଛନ୍ତି।