ଧନୁର୍ଜୟପୁର, ବାଙ୍ଗର ପଞ୍ଚାୟତରେ ପ୍ରବାସୀଙ୍କ ଲାଗି ୨ ଆଇସୋଲେଶନ କେନ୍ଦ୍ର ପ୍ରସ୍ତୁତ

ହାଟଡିହୀ,୩ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଙ୍ଗଲ ପାହାଡ଼ ଘେରାରେ ଧନୁର୍ଜୟପୁର ପଞ୍ଚାୟତ ଅଧୀନରେ ୧୨ଟି ଏବଂ ବାଙ୍ଗର ଅଧୀନରେ ୧୨ଟି ୱାର୍ଡ ରହିଛି। ଏହି ପଞ୍ଚାୟତରେ ଶତକଡା ୭୦ଭାଗ ଲୋକ ଆଦିବାସୀ ଶ୍ରେଣୀର ଅଟନ୍ତି। କରୋନା ମୁକାବିଲା ଲାଗି ଉଭୟ ପଞ୍ଚାୟତ ପକ୍ଷରୁ କୁଶଟିକିରି ଓ ବାଙ୍ଗର ସ୍କୁଲଠାରେ ୫୦ ଶଯ୍ୟା ବିଶିଷ୍ଟ ୨ଟି ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ଉଭୟ ପଞ୍ଚାୟତରେ ପ୍ରାୟ ୪୦୦ ଲୋକ ବାହାର ରାଜ୍ୟରେ ଥିବା ନାମ ପଞ୍ଜୀକରଣ କରିଛନ୍ତି। ଆଗକୁ ଶଯ୍ୟା ସଂଖ୍ୟା ଆହୁରି ଶହେକୁ ବୃଦ୍ଧି କରାଯିବ ବୋଲି ସରପଞ୍ଚ ଅନ୍ନପୂର୍ଣ୍ଣା ରାଉତ ଓ ସୁପ୍ରଭା ରାଉତ କହିଛନ୍ତି। ପଞ୍ଚାୟତ ପକ୍ଷରୁ ୧୨୦ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରତିଦିନ ଦିଆଯାଉଛି। ରାଶନ କାର୍ଡ, ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। ପଞ୍ଚାୟତର ଜିଆରଏସ୍‌ ବିନୟ ମଲିକ ଓ ଜୀନତ ଖାତୁନ,ଜେଇ ପ୍ରଶାନ୍ତ ପଣ୍ଡା ଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ସମିତି ସଭ୍ୟା କନକକାନ୍ତି ରାଉତ, ସମିତି ସଭ୍ୟ ବିବେକାନନ୍ଦ ରାଉତ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରୁଛନ୍ତି। ଏଥିସହ ବହୁ ଗରିବ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଛନ୍ତି। ଅପରପକ୍ଷେ ଯୁବ ସାମାଜିକ କର୍ମୀ ବିଶ୍ୱଜିତ ରାଉତ ୨୦୦ରୁ ଊର୍ଦ୍ଧ୍ୱ ପରିବାରକୁ ସାବୁନ, ମାସ୍କ, ଚୁଡା, ଗୁଡ଼,ଚାଉଳ, ଡାଲି, ଆଳୁ, ଲୁଣ, ବଣ୍ଟନ କରିଛନ୍ତି।