Categories: ଖେଳ

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଭାରତ ଏ

ମହୀଶୂର,୧୯।୯(ପି.ଟି.)- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’ ଉନ୍ନତ ବ୍ୟାଟିଂ ଓ ବୋଲିଂ କରି ସୁବିଧାଜନକ ସ୍ଥିତିରେ ରହିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଏ’ ଓପନର ଶୁବମନ ଗିଲ, କରୁଣ ନାୟାର, ଅଧିନାୟକ ତଥା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଓ ଶିବମ ଦୁବେଙ୍କ ଅର୍ଦ୍ଧଶତକ ସହାୟତାରେ ପ୍ରଥମ ଇନିଂସରେ ୧୨୩ ଓଭରରେ ୪୧୭ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଆରମ୍ଭ କରି ବୁଧବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪୬ ଓଭରରେ ୫ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ ହାତରେ ରଖି ଏବେ ୨୫୮ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଏଡେନ ମାରକ୍ରାମ ୮୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଓ ଓ୍ବିଆନ ମଲ୍ଡର ୯ ରନ କରି ଅପରାଜିତ ରହିଛନ୍ତି।
ଦକ୍ଷିଣ ଆଫ୍ରିକା ୨୦ ରନରେ ପ୍ରଥମ ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ତେବେ ଦଳ ଏକଦା ଗୋଟିଏ ଉଇକେଟ ହରାଇ ୧୦୨ ରନକରି ସ୍ଥିତ ସମ୍ଭାଳିବା ସହ ଭଲ ଆରମ୍ଭ କରିଥିଲା। ଏହା ପରେ ୪୦ ରନରେ ଦଳ ୪ ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ଓପନର ପିଟର ମଲାନ ୬ ରନ କରି ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ୪୧ ରନକରି ଥେଉନିସ୍‌ ଡି ବ୍ରୁଇନ୍‌ ି ପ୍ୟାଭିଲିୟନ ଫେରିଥିଲେ। ଖାୟା ଜୋଣ୍ଡୋ ୫, ସେନୁରାନ ମୁଥୁସ୍ବାମୀ ୧୨ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ହେନରିଚ୍‌ କ୍ଲାସେନ ୨ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଶାହବାଜ ନଦୀମ ଓ କୁଲଦୀପ ଯାଦବ ୨ଟି ଲେଖାଏ ଓ ମହମ୍ମଦ ସିରାଜ ଗୋଟିଏ ଉଇକେଟ ହାସଲ କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୩୩/୩ରୁ ଭାରତ ଏ’ ଖେଳ ଆରମ୍ଭ କରି ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ କରୁନ ନାୟାର ୭୮ରୁ ଖେଳ ଆରମ୍ଭ କରିଥିଲେ ଓ ଆଉ ଅଧିକ ରନ ସଂଗ୍ରହ କରି ନ ପାରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ୩୬ ରନରୁ ଖେଳ ଆରମ୍ଭ କରି ରିଦ୍ଧିମାନ ୬୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଶିବମ ଦୁବେ ୬୮ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଜଲାଜ ଏସ୍‌ ସାକସେନା ୪୮ ରନର ଇନିଂସ ଖେଳି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଲଦୀପ ଯାଦବ ୨, ଶାହାବାଜ ନଦୀମ ୧୧, ଉମେଶ ଯାଦବ ୨୪ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ଖାତା ଖେଲିପାରି ନ ଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ବୋଲିଂରେ ଓ୍ବିଆନ ମୁଲ୍ଡର ଓ ଡେନ୍‌ ପିଟ୍‌ ୩ଟି ଲେଖାଏ, ଭର୍ଣ୍ଣନ ଫିଲାଣ୍ଡର, ଲୁଙ୍ଗି ଏନ୍‌ଗିଡି ଓ ଲୁତୋ ସିପାମ୍ଲା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ଏ’ ପ୍ରଥମ ଇନିଂସ-୧୨୩ ଓଭରରେ ୪୧୭ ଅଲଆଉଟ୍‌
(ଶୁବମନ- ୯୨, ନାୟାର- ୭୮, ଦୁବେ- ୬୮, ରିଦ୍ଧିମାନ- ୬୦, ସାକସେନା- ୪୮*, ମୁଲ୍ଡର- ୩/୪୭, ପିଟ୍‌- ୩/୭୮)।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ-୪୬ ଓଭରରେ ୧୫୯/୫
(ମାରକ୍ରାମ- ୮୩*, ବ୍ରୁଇନ- ୪୧, ନଦୀମ- ୨/୪୧, କୁଲଦୀପ- ୨/୫୧)।

Share