Categories: ଜାତୀୟ

ଦୋଷୀଙ୍କୁ କେବେ ମିଳିବ ଦଣ୍ଡ କହି କୋର୍ଟ ରୁମ୍‌ରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୧୨।୨: ନିର୍ଭୟା ଦୋଷୀଙ୍କ ପାଇଁ ୨ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହେବା ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଫାଶୀ ମିଳିପାରିନାହିଁ। ଆଇନ ଆଳରେ ନିର୍ଭୟା ଦୋଷୀ ନିଜ ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଇବାରେ ସଫଳ ହେଉଛନ୍ତି। ଏଥିପାଇଁ ନିର୍ଭୟାଙ୍କ ମା’ବାପାଙ୍କ ସମେତ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି। ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ଲଢ଼ୁଥିବା ମା’ ଆଶାଦେବୀ ଦୁଃଖ ଓ ନିରାଶାରେ ଭାଙ୍ଗି ପଡ଼ିଛନ୍ତି। ସୂଚନାଯୋଗ୍ୟ, ବୁଧବାର ଦିଲ୍ଲୀସ୍ଥିତ ପଟିଆଲା ହାଉସ୍‌ କୋର୍ଟରେ ଦୋଷୀଙ୍କ ବିରୋଧରେ ତୁରନ୍ତ ଡେଥ୍‌ ଓ୍ବାରେଣ୍ଟ ଜାରି ପାଇଁ କରାଯାଇଥିବା ଆବେଦନର ଶୁଣାଣି କରାଯାଇଥିଲା। କୋର୍ଟ ଏହି ମାମଲାର ଅନ୍ୟତମ ଦୋଷୀ ପଓ୍ବନ ଗୁପ୍ତାଙ୍କୁ ଆଇନଗତ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ଶୁଣାଣିକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ତେବେ ବାରମ୍ବାର ଶୁଣାଣିର ତାରିଖ ଘୁଞ୍ଚାଯାଉଥିବାରୁ କୋର୍ଟରେ ଆଶାଦେବୀ କାନ୍ଦି ପକାଇଥିଲେ। ଶୁଣାଣି ସମୟରେ ନିର୍ଭୟାଙ୍କ ମା’ କହିଥିଲେ ସବୁ ଅଧିକାର ଦୋଷୀଙ୍କ ନିକଟରେ ରହିଛି, ହେଲେ ମୋର କ’ଣ କୌଣସି ଅଧିକାର ନାହିଁ। ଗତ ୭ ବର୍ଷ ହେଲା ନ୍ୟାୟ ପାଇଁ ଲଢ଼ୁଥିବା ବେଳେ ହାତ ଯୋଡୁଛି, ତୁରନ୍ତ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଉ ବୋଲି କହି ଆଶାଦେବୀ ବିଚାରପତିଙ୍କ ଆଗରେ କାନ୍ଦି ପକାଇଥିଲେ। ଏହା ଦ୍ୱାରା ଉକ୍ତ ମାମଲାରେ ଆହୁରି ବିଳମ୍ବ ହେବ କହି ନିର୍ଭୟାଙ୍କ ମା’ବାପା ଓ ମହିଳା କର୍ମକର୍ତ୍ତା କୋର୍ଟ ଆଗରେ ଧାରଣା ଦେବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ।

Share