ଦୋକାନ ବାରଣ୍ଡାରେ ଦିବ୍ୟାଙ୍ଗ ପରିବାର ମୁଣ୍ଡ ଗୁଞ୍ଜିବା ଘଟଣା: କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ତହସିଲଦାର

ରସୁଲପୁର,୨|୮(ଡିଏନ୍‌ଏ)- ରସୁଲପୁର ତହସିଲ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଖଣ୍ଡାସ ରାଜସ୍ବ ଗ୍ରାମର ସରକାରୀ ଜାଗାରେ ବାସ କରୁଥିବା ଦିବ୍ୟାଙ୍ଗ ଦେବକୀ ପରିବାର ଫନୀ ବାତ୍ୟା ଯୋଗୁ ବାସହରା ହୋଇଯାଇଥିଲେ। ଏହା ଭିତରେ ୩ମାସ ବିତିଯାଇଥିଲେ ହେଁ ଉକ୍ତ ପରିବାରକୁ କୌଣସି ସରକାରୀ ସହାୟତା ମିଳି ନ ଥିଲା ା ଫଳରେ ଦିବ୍ୟାଙ୍ଗ ପରିବାର ଦୋକାନ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଥିବା ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଘଟଣା ସମ୍ପର୍କରେ ତଦନ୍ତ କରାଯିବା ନେଇ ରସୁଲପୁର ତହସିଲ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିଥିଲା। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ କ୍ଷେତ୍ର ପରିଦର୍ଶନ କରିଥିଲେ। ଦିବ୍ୟାଙ୍ଗ ପରିବାରର ସ୍ଥିତି ସମୀକ୍ଷା କରି ଉଦ୍‌ବେଗ ପ୍ରକାଶ କରିଥିଲେ। ଉକ୍ତ ପରିବାରକୁ ତୁରନ୍ତ ଏକ ପଲିଥିନ ପ୍ରଦାନ କରିବା ସହ ଆର୍ଥତ୍କ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଏଥିସହ ଭୂମିହୀନ ଦିବ୍ୟାଙ୍ଗ ପରିବାରକୁ ମୋ ଘର ଡିହ ଯୋଜନାରେ ଏକ ବାସ ଉପଯୋଗୀ ଜମି ଯୋଗାଇ ଦିଆଯିବା ସହ ସରକାରୀ ଆବାସ ପ୍ରଦାନ ଦିଗରେ ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ତହସିଲ ସୁପର ଭାଇଜର ମହେଶ୍ୱର ସେଠୀ, ସାମନ୍ତରାପୁର ରାଜସ୍ବ ନିରୀକ୍ଷକ ନୃସିଂହ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।