ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଆଞ୍ଚଳିକ ପରିବହନ ଅଫିସ ନିକଟରେ ଥିବା ମୋବାଇଲ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ୍‌ ଚୋରି ହୋଇଛି। ଏ ନେଇ ସୋମବାର ଟାଉନ ଥାନାରେ ଦୋକାନ ମାଲିକ ଭାଗବତ ପ୍ରଧାନ(୩୫) ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, କେହି ଦୁର୍ବୃତ୍ତ କୌଶଳକ୍ରମେ ଦୋକାନ ଶର୍ଟର ତାଡ଼ି ପାଖାପାଖି ଅଢ଼େଇ ଲକ୍ଷ ଟଙ୍କାର ଟଚ୍‌ ସ୍କ୍ରିନ୍‌ ମୋବାଇଲ ଚୋରି କରିଛନ୍ତି। ଏଥିସହ ଦୋକାନରେ ଥିବା କାଠବାକ୍ସକୁ ସେମାନେ ବାହାରେ ଫୋପାଡ଼ି ଦେଇଛନ୍ତି। ଅଭିଯୋଗ ପାଇ ଟାଉନ ଥାନା ପୋଲିସ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଚଳାଇଛି।