ଦୈନିକ ସଡ଼କ ସୁରକ୍ଷା ନିୟମ ମନେ ରଖିବାକୁ ପଡ଼ିବ: ଜିଲାପାଳ

ଛତ୍ରପୁର,୧୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶନିବାର ଶୁଭାରମ୍ଭ ହୋଇଛି। ଏହା ୧୭ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଛତ୍ରପୁରସ୍ଥିତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ପ୍ରତ୍ୟେକ ଦିନ ସଡ଼କ ସୁରକ୍ଷା ନିୟମକୁ ମନେ ରଖିବାକୁ ପଡ଼ିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଡେପୁଟି କମିଶନର (ଟ୍ରାନ୍ସପୋର୍ଟ) ବସନ୍ତ କୁମାର ବେହେରା, ଗଞ୍ଜାମ ଆରଟିଓ ସଞ୍ଜୟ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ଏମ୍‌ଭିଆଇ ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଦେଇଥିବା ସାହାଯ୍ୟକାରୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଟୁକୁନା ନାୟକ, କେ. ମୁରଲୀ ରେଡ୍ଡୀ, ନାରାୟଣ ନାୟକ, ରିତୁ କୁମାର ନାୟକ, ସଞ୍ଜୀବ କୁମାର ସାମଲ, ଭଜରାମ ସାହୁ, ରବୀନ୍ଦ୍ର ପ୍ରଧାନ ଓ ଲକ୍ଷ୍ମୀଧର ପ୍ରଧାନ। ସେହିପରି ଉଲ୍ଲେଖନୀୟ ସେବା ପାଇଁ ଛତ୍ରପୁର ଫାୟାର ଷ୍ଟେଶନର କାହ୍ନୁ ଶ୍ରୀଚନ୍ଦନ ପରିଡ଼ା ଓ ଦୀପକ କୁମାର ସାହୁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ନାଟକ ପରିବେଷଣ କରାଯାଇଥିଲା।