Categories: ବାଣିଜ୍ୟ

ଦେଶରେ ସୁନା ଦର;ବର୍ଷକରେ ୮, ଦଶନ୍ଧିରେ ୨୭ ହଜାର ଟଙ୍କା ବଢ଼ିଛି

ନୂଆଦିଲ୍ଲୀ,୨୭-୮: ଗତ ଏକ ଦଶନ୍ଧି ଭିତରେ ଦେଶରେ ସୁନା ଦର(୨୪ କ୍ୟାରେଟ ପ୍ରତି ୧୦ ଗ୍ରାମ) ଅତ୍ୟଧିକ ବଢ଼ିଯାଇଛି। ୧୯୬୪ରେ ସୁନା ଦର ୬୩.୨୫ ଟଙ୍କା ପ୍ରତି ୧୦ ଗ୍ରାମ୍‌ ଥିଲା। ୨୦୦୮ରେ ଏହା ୧୨୫୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ୧୧ବର୍ଷ ପରେ ୨୦୧୯ ଅଗଷ୍ଟ ୨୬ରେ ସୁନା ଦର ୩୯,୬୭୦ ଟଙ୍କାରେ ପହଞ୍ଚତ୍ଛି। ଅର୍ଥାତ୍‌ ଏହି ସମୟ ମଧ୍ୟରେ ସୁନା ଦର ୨୭ ହଜାର ଟଙ୍କା ବଢ଼ିଛି। ସେହିପରି ୨୦୧୮ରେ ସୁନା ଦର ପ୍ରତି ୧୦ ଗ୍ରାମ୍‌ ୩୧,୪୩୮ଟଙ୍କା ରହିଥିବା ବେଳେ ବର୍ଷକ ଭିତରେ ଏଥିରେ ୮ ହଜାର ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି। ଚଳିତ ମାସରେ ସୁନାର କ୍ରମାଗତ ମୂଲ୍ୟବୃଦ୍ଧି ଦେଖିବାକୁ ମିଳୁଛି। ଚାଇନା ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଷ୍ଟକ୍‌ ମାର୍କେଟରେ ନିବେଶ ଲାଭଜନକ ହେଉ ନ ଥିବା ମନେ କରି ନିବେଶକମାନେ ଏହି ମୂଲ୍ୟବାନ ଧାତୁରେ ନିବେଶ ଲାଗି ଆଗ୍ରହ ଦେଖାଉଛନ୍ତି। କାରଣ ସୁନାରେ ନିବେଶ ସବୁଠାରୁ ସୁରକ୍ଷିତ ବୋଲି ମନେ କରାଯାଇଥାଏ। ଦେଶରେ ସାଧାରଣତଃ ବିବାହ ଋତୁ ବ୍ୟତୀତ ଧନତେରସ ଏବଂ ଅକ୍ଷୟ ତୃତୀୟାରେ ଲୋକେ ସୁନା କିଣିଥାନ୍ତି। ଆର୍ଥିକ ସଙ୍କଟ ବେଳେ ସୁନା ଅଧିକ ସହାୟତା କରିଥାଏ ବୋଲି ଲୋକଙ୍କ ମଧ୍ୟରେ ଆଜି ମଧ୍ୟ ବିଶ୍ୱାସ ରହିଛି। ଏହି କାରଣରୁ ଲୋକଙ୍କର ସୁନା ପ୍ରତି ଆଗ୍ରହ ବଢ଼ି ବଢ଼ି ଚାଲିଛି।
୩୯,୬୭୦ ସ୍ତରରେ ସୁନାର ନୂଆ ରେକର୍ଡ
ବିଶ୍ୱ ବଜାରରେ ସକାରାମତ୍କ ସଙ୍କେତ ତଥା ଘରୋଇ ବଜାରରେ ଚାହିଦା ବୃଦ୍ଧି କାରଣରୁ ସୋମବାର ସୁନା ଦର ପ୍ରତି ୧୦ ଗ୍ରାମ୍‌ ୬୭୫ ଟଙ୍କା ବଢ଼ି ୩୯,୬୭୦ ଟଙ୍କାରେ ପହଞ୍ଚତ୍ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ବୋଲି ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନ ପକ୍ଷରୁ କୁହାଯାଇଛି। ଏହା ଦୁଇ ଚାରିଦିନ ମଧ୍ୟରେ ୪୦ ହଜାର ସ୍ତର ଛୁଇଁବ ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଅଗଷ୍ଟ ୨୦ ପରେ ସୁନା ଦର ଦୈନିକ ନୂଆ ରେକର୍ଡ ସ୍ତର ସୃଷ୍ଟି କରିଚାଲିଛି। ସେହିପରି ରୁପା ଦରରେ ମଧ୍ୟ ନିଆଁ ଲାଗିଛି। ସୋମବାର ରୁପା ଦର କେଜି ପ୍ରତି ୧୪୫୦ ଟଙ୍କା ବଢ଼ି ୪୬,୫୫୦ ଟଙ୍କାରେ ପହଞ୍ଚତ୍ ଆଉ ଏକ ରେକର୍ଡ ହାସଲ କରିଛି। ବିଶ୍ୱ ବଜାରରେ ପ୍ରତି ଆଉନ୍ସ ସୁନା ଦର ଦିନ ମଧ୍ୟରେ ୬ ବର୍ଷର ସର୍ବୋଚ୍ଚ ସ୍ତର ୧୫୫୪.୫୬ ଡଲାର ଛୁଇଁଥିଲା। ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧତାର ସୁନା ଦର ୩୯,୬୭୦ ଟଙ୍କା ଥିବା ବେଳେ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ଦର ୩୯,୫୦୦ ଟଙ୍କା ଥିଲା। ସେହିପରି ସଭରେନ ଗୋଲ୍ଡ ଦର ୮ ଗ୍ରାମ୍‌ ପ୍ରତି ୭୦୦ ଟଙ୍କା ବଢ଼ି ୨୯,୫୦୦ ଟଙ୍କା ହୋଇଛି।

Share