Categories: ବାଣିଜ୍ୟ

ଦେଶରେ ମାନ୍ଦାବସ୍ଥା ନାହିଁ: ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୩-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ପ୍ରସଙ୍ଗକୁ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଖଣ୍ଡନ କରିଛନ୍ତି। ତାଙ୍କ ଯୁକ୍ତିକୁ ପ୍ରମାଣିତ କରିବା ପାଇଁ ସେ ସିନେମାରୁ ହେଉଥିବା ଆୟର ସାହାରା ନେଇଛନ୍ତି। ସେ କହିଛନ୍ତି ୨ ଅକ୍ଟୋବରରେ ରିଲିଜ ହୋଇଥିବା ୩ ସିନେମା ୧୨୦ କୋଟି ଟଙ୍କା ଆୟ କରିଛନ୍ତି। ଅର୍ଥ ବ୍ୟବସ୍ଥା ଭଲ ସ୍ଥିତିରେ ଥିବାରୁ ସିନେମାଗୁଡିକ ବକ୍ସ ଅଫିସରେ ଉନ୍ନତ ପ୍ରଦର୍ଶନ କରିଥିବା ସେ ମତ ଦେଇଛନ୍ତି। ସେହିଭଳି ନ୍ୟାଶନାଲ ସାମ୍ପୁଲ ସର୍ଭେ ଅଫିସ( ଏନ୍‌ଏସ୍‌ଏସ୍‌ଓ) ଦେଇଥିବା ନିଯୁକ୍ତି ତଥ୍ୟକୁ ସେ ଭୁଲ ଦର୍ଶାଇଛନ୍ତି। ଅର୍ଥ ବ୍ୟବସ୍ଥାରେ କୌଣସି ମାନ୍ଦାବସ୍ଥା ନ ଥିବା ଶନିବାର ଏକ ଖବରଦାତା ସମ୍ମିଳନୀରେ ରବିଶଙ୍କର ପ୍ରସାଦ ପ୍ରକାଶ କରିଛନ୍ତି। ଏନ୍‌ଏସ୍‌ଏସ୍‌ଓର ନିଯୁକ୍ତି ରିପୋର୍ଟକୁ ନେଇ ପ୍ରଶାଦ କହିଛନ୍ତି ଯେ, ଉକ୍ତ ରିପୋର୍ଟ ଭୁଲ। ରିପୋର୍ଟରେ ନ ଥିବା ୧୦ ପ୍ରାସଙ୍ଗିକ ରିପୋର୍ଟ ସେ ପ୍ରଦାନ କରିଥିବା ମତ ରଖିଛନ୍ତି। ସରକାର କେବେ କହି ନାହାନ୍ତି ଯେ, ସମସ୍ତଙ୍କୁ ସରକାରୀ ଚାକିରି ଦିଆଯିବ। କିଛି ଲୋକ ଜାଣିଶୁଣି ଭ୍ରମ ସୃଷ୍ଟି କରୁଛନ୍ତି। ସୂଚନା ଯୋଗ୍ୟ, ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫%କୁ ଖସି ଆସିଛି। ରିଜର୍ଭ ବ୍ୟାଙ୍କ ସମେତ ଦେଶର ବଡ ବଡ ଏଜେନ୍ସି ଗୁଡିକ ଦେଶର ଅଭିବୃଦ୍ଧି ଆକଳନକୁ କମାଇଛନ୍ତି। ଅପରପକ୍ଷରେ ଦେଶର ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

Share