Categories: ବାଣିଜ୍ୟ

ଦେଶରେ ଠିକ୍‌ ଅର୍ଥନୈତିକ ନୀତି ଲାଗୁ ହେଉନି: ସୁବ୍ରମଣ୍ୟନ ସ୍ବାମୀ

ମୁମ୍ବାଇ,୨୯-୯: ଦେଶରେ ଠିକ୍‌ ଅର୍ଥନୈତିକ ନୀତି ଲାଗୁ ହେଉ ନ ଥିବା ଭାଜପା ନେତା ସୁବ୍ରମଣ୍ୟନ ସ୍ବାମୀ ଶନିବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ ଇନ୍‌ ଇଣ୍ଡିଆ ଭଳି କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ହେଲେ ସମଗ୍ର ଅର୍ଥନୀତିକୁ ଦେଖିଲେ ଅନେକ କିଛି ଅଭାବ ରହିଥିବା ସେ କହିଛନ୍ତି। ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍ବାମୀ କହିଛନ୍ତି, ଜବାହରଲାଲ ନେହେରୁ ଦେଶ ଉପରେ ବଳପୂର୍ବକ ସୋଭିଏଟ ଅର୍ଥନୈତିକ ମଡେଲ ଲଦିଦେଲେ। ଫଳରେ ଅର୍ଥନୀତିକୁ ଏହା ନିମ୍ନଗାମୀ କରିଛି। ବର୍ତ୍ତମାନ ସରକାର ଅନେକ ପଦକ୍ଷେପ ଉପରେ କାର୍ଯ୍ୟ କରୁଥିବା ବେଳେ ସାରା ଦେଶର ସମସ୍ୟା ସମାଧାନ ହେଲା ଭଳି ନୀତି ଉପରେ କାମ ଏଯାଏ ହେବା ସମ୍ଭବ ହୋଇ ନାହିଁ। ଏନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ସେହିଭଳି ସେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କୁ ସମାଲୋଚନା କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଲାଗି ଉଚ୍ଚ ସୁଧହାର ଭଳି ରାଜନଙ୍କ ପଦକ୍ଷେପକୁ ସେ ନାପସନ୍ଦ କରିଛନ୍ତି। ଏହା ଦ୍ୱାରା ଦେଶରେ ବେକାରି ସମସ୍ୟା ବଢିବା ସହ କ୍ଷୁଦ୍ର ଶିଳ୍ପଗୁଡିକ ସମସ୍ୟା ସାମ୍ନା କଲେ ବୋଲି ସେ ମତ ରଖିଛନ୍ତି। ବ୍ୟାଙ୍କଗୁଡିକ ଋଣ ପ୍ରଦାନ ବେଳେ ସୁଧହାରକୁ ୯%ରୁ ଅଧିକ ନ କରିବା ନେଇ ସରକାର ନିଶ୍ଚିତ କରାଇବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ହେଲେ ନିବେଶ ଏବଂ ଅଭିବୃଦ୍ଧି ହାର ବଢିବ। ଏହାବାଦ ସଞ୍ଚୟ ବଢାଇବା ଲାଗି ଆୟକରକୁ ବାଦଦେବା ଉଚିତ। ନେହେରୁଙ୍କ ସମୟରେ ଦେଶର ଅଭିବୃଦ୍ଧି ଧାରା ୩.୫%ରୁ ଅଧିକ ହେବ ନାହିଁ ବୋଲି ବିବେଚନା କରାଯାଉଥିଲା। ବର୍ତ୍ତମାନ ବାର୍ଷିକ ୧୦% ଅଭିବୃଦ୍ଧି ହାସଲ କରିବା ସମ୍ଭବ ବୋଲି ବିଚାର କରାଯାଉଛି। ଦେଶବାସୀଙ୍କ ନିକଟରେ ଏ ନେଇ କ୍ଷମତା, ଦକ୍ଷତା ଏବଂ ସମ୍ବଳ ରହିଥିବା ସ୍ବାମୀ ସ୍ପଷ୍ଟ କରିଛନ୍ତି।

Share