ଦେଢ଼ମାସ ପରେ ସୋଲାର ପ୍ରକଳ୍ପ ଅଚଳ

କୋରୁକୋଣ୍ଡା,୬ା୬(ଡି.ଏନ.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲି ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ ଜଳ ଯୋଗାଣ ବନ୍ଦ ହେତୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ୨୨ ପରିବାରର ଶତାଧିକ ଲୋକ ବସବାସ କରୁଥିବା ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର ଲାଗି ୫ମାସ ତଳେ ଗ୍ରାମରେ ଏକ ସୋଲାର ପ୍ରକଳ୍ପ ନିର୍ମାଣ ହୋଇଥିଲା। ମାତ୍ର ତାହା ଦେଢ଼ମାସ ବ୍ୟବହାର ପରେ ଅଚଳ ହୋଇପଡ଼ିଥିଲା। ୩ମାସ ବିତିଯାଇଥିଲେ ମଧ୍ୟ ଏହାକୁ ମରାମତି କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ସୋଲାର ପ୍ରକଳ୍ପ ନିର୍ମାଣ କରିଥିବା ଠିକାଦାରଙ୍କୁ ଗ୍ରାମବାସୀ କହିବାରୁ ସେ କାଲିକାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହେଉଛି।