ଦୃଷ୍ଟି ହଟାଯାଉଛି

ସମ୍ପାଦକୀୟ/ତଥାଗତ ସତପଥୀ
ହ୍ୟୁମାନିଟିଜ୍‌ ଷ୍ଟଡିଜ୍‌ ବା ମାନବବାଦୀ ପାଠ ଲାଗି ଉଚ୍ଚ ଶିକ୍ଷା କରିବାକୁ ଚାହୁଁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଅନ୍ୟତମ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ବିବେଚନା କରାଯାଇଥାଏ। ଶୁଣାଯାଉଛି, ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କଠାରୁ ଅଧିକ ଛାତ୍ରୀ ଅଛନ୍ତି। ଦୁଃଖର ବିଷୟ, ଦିଲ୍ଲୀର ସାହିନ୍‌ବାଗ୍‌ଠାରେ ହେଉଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ସବୁ ଧର୍ମର ଲୋକଙ୍କ ପ୍ରତିବାଦଠାରୁ ଦୃଷ୍ଟି ହଟାଇବା ପାଇଁ ଜେଏନ୍‌ୟୁରେ ଗୁଣ୍ଡାଙ୍କ ପ୍ରବେଶ କରାଇ ଦିଆଯାଇଛି। ମୁହଁରେ କନାବାନ୍ଧି ଓ ହାତରେ ଲୁହା ଛଡ଼ ଓ ବାଡ଼ି ଧରି ମହିଳା ପୁରୁଷ ହଷ୍ଟେଲ ଭିତରେ ପ୍ରବେଶ କରି ସେମାନେ ଛାତ୍ରୀଛାତ୍ରଙ୍କୁ ଆକ୍ରମଣ କରିଛନ୍ତି। ଦେଖିବାକୁ ଗଲେ ନିକଟ ଅତୀତରେ ଜେଏନ୍‌ୟୁରେ କୌଣସି ଆଖିଦୃଶିଆ ଛାତ୍ର ଅସନ୍ତୋଷ ପାଇନାହିଁ। କିଛି ସପ୍ତାହ ପୂର୍ବେ ସେଠାରେ ପଢ଼ା ଲାଗି ଫି’ ବୃଦ୍ଧି ଘଟିଥିବାରୁ ତା’ ବିରୋଧରେ ବିକ୍ଷୋଭ ଓ ପ୍ରତିବାଦ ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ଶିଥିଳ ମଧ୍ୟ ପଡ଼ିଯାଇଥିଲା। ସେଥିପାଇଁ ଅନେକେ ଆଶ୍ଚର୍ଯ୍ୟ ହେଲେ ଏହି ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ ଘଟାଇଥିବା ଗୁଣ୍ଡାମାନଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ା ଆଜିର କେନ୍ଦ୍ର ସରକାର ବିଗତ କିଛିବର୍ଷ ଧରି ଏହି ବିଶ୍ୱବିଦ୍ୟାଳୟ ଉପରେ କ୍ରୋଧିତ ହୋଇ ରହିଛି। ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାର ସମୟର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ବିଶ୍ୱବିଦ୍ୟାଳୟକୁ କିଛିଦିନ ପାଇଁ ପାଣି ଯୋଗାଣ ବନ୍ଦ କରିଦେଇଥିଲେ। ତତ୍‌ସହିତ ଏହା ମଧ୍ୟ ମତପ୍ରକାଶ ପାଇଥିଲା ଯେ, ସେଠାରେ ଦେଶଭକ୍ତି ଓ ଦେଶପ୍ରେମ ସୃଷ୍ଟି କରିବା ଲାଗି ଲଢୁଆ ଟ୍ୟାଙ୍କ୍‌କୁ ରଖାଯାଉ। ସେତେବେଳେ କହ୍ନେୟା କୁମାରଙ୍କ ଭଳି ଛାତ୍ର ସଂସଦ ସଭାପତି ଏହି ବିଶ୍ୱବିଦ୍ୟାଳୟ ଉପରେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରାଇଥିଲେ। ଭାରତ ବିରୋଧୀ କୌଣସି ଧ୍ୱନି ଦିଆଯାଇଥିବାର ପ୍ରମାଣ ଆଜି ପର୍ଯ୍ୟନ୍ତ ନ ଥିଲେ ମଧ୍ୟ ଦେଶଦ୍ରୋହ ଆଇନ ବଳରେ ଅନେକ ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଥିଲା। ଯେଉଁମାନେ ସେତେବେଳର ଭିଡିଓ ଦେଖିଥିବେ, ସେଥିରେ ଧ୍ୱନି ଥିଲା ‘ପୁଞ୍ଜିବାଦ ସେ ଆଜାଦି’, ‘ମନୁବାଦ ସେ ଆଜାଦି’ ଭଳି ଗରିବ ଲୋକଙ୍କ ସପକ୍ଷରେ ଡାକରା। ସେହି ପରିସ୍ଥିତିର ସୁବିଧା ଉଠାଇବା ପାଇଁ ମୁଷ୍ଟିମେୟ ଗୋଷ୍ଠୀ ତତ୍ପର ହୋଇପଡ଼ିଥିଲେ। ବିକ୍ଷୋଭକାରୀଙ୍କୁ ବାମପନ୍ଥୀ, ଦେଶଦ୍ରୋହୀ ଏବଂ ପାକିସ୍ତାନ ସପକ୍ଷବାଦୀ କହି ବାସ୍ତବ ସମସ୍ୟାଠାରୁ ଦୃଷ୍ଟି ଘୁଞ୍ଚାଇବା ସକାଶେ ଚେଷ୍ଟା କରାଯାଇଥିଲା।
୫ ଜାନୁୟାରୀ ରାତି ଜେଏନ୍‌ୟୁ ଉପରେ ଆକ୍ରମଣ ସେହିଭଳି ଏକ ବିରାଟକାୟ ସମସ୍ୟାରୁ ଦେଶର ଦୃଷ୍ଟି ହଟାଇବା ପାଇଁ ଚେଷ୍ଟା କରାଯାଇଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୧୪ରେ କେନ୍ଦ୍ରରେ ଭାଜପା ସରକାର ଆସିବା ବେଳୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟରେ ବିଷମଞ୍ଜି ବୁଣାଯାଇ ଆସିଛି। କେବଳ ଜେଏନ୍‌ୟୁ ନୁହେଁ, ଅତୀତରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ, ବାରାଣସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ), କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଏବଂ ନିକଟରେ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ସଂଘଠିତ ଛାତ୍ର ବିଦ୍ରୋହର ରୂପ ଦେଶବ୍ୟାପୀ କିଭଳି ରହିଥିଲା ସମସ୍ତେ ଜାଣନ୍ତି। ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷିତ ଓ ସେମାନଙ୍କର ଦେଶ ଗଠନରେ ସୁଚିନ୍ତିତ ମତାମତ ଦେବାର ଅଧିକାର ଅଛି। ହେଲେ ସେମାନଙ୍କୁ ପ୍ରତି କଥାରେ ସତର୍କ ଓ ସ୍ଥଳବିଶେଷରେ ଭୟଭୀତ କରାଯାଇ ରଖାଯିବା ପରମ୍ପରା ଯେବେଠାରୁ ଆରମ୍ଭ ହେଲାଣି, ସେବେଠାରୁ ଛାତ୍ର ଅଶାନ୍ତି ବୃଦ୍ଧି ପାଇଚାଲିଛି। କିନ୍ତୁ ପୃଥିବୀର ଇତିହାସ ଦେଖିଲେ ଆଜି ଯାହା ଭାରତରେ ଘଟୁଛି ତାହା ଅନ୍ୟ କେତୋଟି ଦେଶରେ ଘଟିଯାଇଛି। ଉଚ୍ଚଶିକ୍ଷିତ ଯୁବତୀ ଯୁବକ, ଶିକ୍ଷକ ଏବଂ ବିଭିନ୍ନ ବୃତ୍ତିଧାରୀ ଓ ବୁଦ୍ଧିଜୀବୀଙ୍କୁ ଜୀବନରେ ମାରିଦେଲେ ଯେକୌଣସି ସମାଜକୁ ପଙ୍ଗୁ କରିଦେବା ଅତ୍ୟନ୍ତ ସହଜ ହୋଇପଡ଼େ। ଗୌରୀ ଲଙ୍କେଶଙ୍କଠାରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ବିଭିନ୍ନ ଦିଗକୁ ମାଡ଼ିବା ସହିତ ଜେଏନ୍‌ୟୁ ଭଳି ଶିକ୍ଷାନୁଷ୍ଠାନରେ ପହଞ୍ଚି ସାରିଲାଣି। ଏହାର ଅବିକଳ ସମାନ୍ତରାଳ ପଲ୍‌ ପଟ୍‌ଙ୍କ ଖମେର ରୁଜ୍‌ ଶାସନ ସମୟରେ କାମ୍ବୋଡିଆରେ ଦେଖିବାକୁ ମିଳିଥିଲା । ପଲ୍‌ ପଟ୍‌ ନିଜକୁ କମ୍ୟୁନିଷ୍ଟ କହୁଥିବା ସତ୍ତ୍ୱେ କମ୍ୟୁନିଷ୍ଟ ନ ଥିଲେ। ତାଙ୍କ ଦେଶକୁ ଏକ ଗରିବ ସମାଜରେ ପରିଣତ କରି ନିଜର ଶାସନକୁ ଦୀର୍ଘମିଆଦୀ କରିବା ପାଇଁ ବିଂଶ ଶତାବ୍ଦୀର ୭୦ ଦଶନ୍ଧିରେ ଚେଷ୍ଟା କରିଥିଲେ। ଭିଏଟ୍‌ନାମ ଭଳି ବାହ୍ୟ ଦେଶର ହସ୍ତକ୍ଷେପ ଯୋଗୁ ପଲ୍‌ ପଟ୍‌ଙ୍କ ପତନ ଘଟିଥିଲା। ଆଜିର ଭାରତ ଭଳି ସେ ସମୟର କାମ୍ବୋଡିଆରେ ତାଙ୍କର ଅନେକ ସକ୍ରିୟ ସମର୍ଥକ ବାହାରି ଭିନ୍ନ ଚିନ୍ତାକୁ ନୀରବ କରାଇ ପାରିଥିଲେ।
ଆଜି ଭାରତର ଅର୍ଥନୀତି ଭୁଶୁଡ଼ିବାରେ ଲାଗିଛି। ଯୁବପିଢ଼ି ହାତରେ ରୋଜଗାର ପନ୍ଥା ନାହିଁ। କଳକାରଖାନା ବନ୍ଦ ହେଉଛି। ପ୍ରାୟ ସବୁ ସରକାରୀ ଉଦ୍ୟୋଗ ବିପୁଳ କ୍ଷତିରେ ଚାଲୁଛନ୍ତି। ସେଗୁଡ଼ିକୁ ବିକ୍ରି କରିବା ଲାଗି ମସୁଧା ଚାଲିଛି। ଚାଷୀର ସମସ୍ୟା ଅଧିକ ଗମ୍ଭୀର ହେଉଥିବା ବେଳେ ଚାଷ ପାଇଁ ସରକାରଙ୍କ ଦୃଷ୍ଟି ପଡୁନାହିଁ। ପଡ଼ୋଶୀ ସବୁ ଦେଶ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ତିକ୍ତ କରାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ପ୍ରାୟ ଅଧିକାଂଶ ସରକାରୀ ବିକାଶମୂଳକ କାର୍ଯ୍ୟ ବନ୍ଦ ପଡ଼ିଥିବା ବେଳେ ୧୦୦ ସ୍ମାର୍ଟ ସିଟିର କଥା ଉଭେଇ ଗଲାଣି। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରୁ ୧.୭୬ ଲକ୍ଷ କୋଟି ଟଙ୍କା ଜବରଦସ୍ତି ଆଣି ସରକାର ଖର୍ଚ୍ଚ କରିଦେଇଥିବା ବେଳେ ତାହାର ପ୍ରଭାବ ଲୋକଙ୍କ ପାଖରେ ପହଞ୍ଚିନାହିଁ। ଭାରତର ପ୍ରତ୍ୟେକ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ ଓ ପ୍ରଦୂଷଣ ମୁକ୍ତ କରିବା ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ। ସ୍ବଚ୍ଛ ଭାରତର ଦେଖାଦର୍ଶନ ନାହିଁ। କୁଆଡ଼େ ଗଲା ‘ଷ୍ଟାର୍ଟ ଅପ୍‌ ଓ ଷ୍ଟାଣ୍ଡ୍‌ ଅପ୍‌ ଇଣ୍ଡିଆ’। ଏହିଭଳି ଲେଖିଚାଲିଲେ କାଗଜରେ ସ୍ଥାନ ପଛେ ଶେଷ ହୋଇଯିବ, ତାଲିକା ଶେଷ ହେବନାହିଁ।
ଏଭଳି ବିରାଟକାୟ ବିଫଳତାରୁ ସାଧାରଣ ନାଗରିକର ଦୃଷ୍ଟି ଅନ୍ୟତ୍ର ନେବା ପାଇଁ ଅଦାଲତ ଉପରେ ଚାପ ପକାଇ ରାମମନ୍ଦିର ମାମଲା ଜିତା ହେଲା ବୋଲି କୁହାଯାଉଛି। ସତେଯେମିତି ଅଯୋଧ୍ୟାରେ ଗୋଟେ ରାମମନ୍ଦିର ହେଲେ ଅସଂଖ୍ୟ ଗରିବ ହିନ୍ଦୁଙ୍କ ପେଟ ପୂରିଯିବ ଓ ହିନ୍ଦୁ ଯୁବକଙ୍କ ବେକାର ସମସ୍ୟା ଦୂର ହୋଇଯିବ। ମୁସଲମାନ ବିରୋଧୀ ଡାକରା କେବଳମାତ୍ର ଉପରଠାଉରିଆ । ଏହା ଦ୍ୱାରା ହିନ୍ଦୁତ୍ୱର ଦ୍ୱାହି ଦେଇ ହିନ୍ଦୁ ଭୋଟରଙ୍କୁ ଏକାଠି ରଖିବା ହେଉଛି ଭିତିରି ଉଦ୍ଦେଶ୍ୟ।
ଏହି ଦେଶରେ ଗରିବ ହିନ୍ଦୁଙ୍କ ଦୁର୍ଦ୍ଦଶା ବୁଝିବାକୁ କେହି ନାହିଁ। କେବଳ ରାଜନୀତି କରି ଲୋକଙ୍କୁ ଠକିବା ହେଉଛି ମୂଳଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri