Categories: ବାଣିଜ୍ୟ

ଦୃଷ୍ଟିବାଧିତଙ୍କ ଲାଗି ନୋଟ ଚିହ୍ନିବା ହେବ ସହଜ; ଆର୍‌ବିଆଇ ଆଣିଲା ନୂଆ ମୋବାଇଲ ଆପ୍ଲିକେଶନ

 

ମୁମ୍ବାଇ,୧-୨: ଦୃଷ୍ଟିବାଧିତଙ୍କ ଲାଗି ନୋଟ୍‌ ଚିହ୍ନିବା ଏବେ ସହଜ ହେବ। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୂଆ ମୋବାଇଲ ଆପ୍ଲିକେଶନ ଆଣିଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ନୂଆ ଆପ୍ଲିକେଶନକୁ ବୁଧବାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ଲିକେଶନର ନାମ ମୋବାଇଲ ଏଡେଡ ନୋଟ୍‌ ଆଇଡେଣ୍ଟିଫାୟର (ଏମ୍‌ଏଏନ୍‌ଆଇ) ରହିଛି। ଆଣ୍ଡ୍ରଏଡ ପ୍ଲେ ଷ୍ଟୋର କିମ୍ବା ଆଇଓଏସ୍‌ ଆପ୍‌ ଷ୍ଟୋରରୁ ଡାଉନଲୋଡ କରାଯାଇ ପାରିବ। ମୋବାଇଲର ପଛ କ୍ୟାମେରାରେ ଫଟୋ ଉଠାଇ ଦୃଷ୍ଟିବାଧିତ ମହାତ୍ମାଗାନ୍ଧୀ ସିରିଜ ଏବଂ ମହାତ୍ମା ଗାନ୍ଧୀ ନୂଆ ସିରିଜ ନୋଟ ଚିହ୍ନଟ କରିପାରିବେ। ଏହି ଆପ୍‌ କରେନ୍ସି ନୋଟର ଅଡିଓ ଜେନେରେଟ କରିବା ସହ ନନ୍‌ ସୋନିକ ନୋଟିଫିକେଶନ ପ୍ରଦାନ କରିବ। ନଭେମ୍ବର ୨୦୧୬ ପରେ ଆସିଥିବା ନୂଆ ସିରିଜର ମହାତ୍ମାଗାନ୍ଧୀ ନୂଆ ସିରିଜ ନୋଟରେ ଆକାର ଏବଂ ଡିଜାଇନ ଉନ୍ନତ ରହିଛି। ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ହଟିବା ପରେ ୧୦,୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ରହିଛି। ଦୈନଦିନ କାର୍ଯ୍ୟ ବେଳେ ଏହି ନୂଆ ନୋଟ ଚିହ୍ନିବା ଲାଗି ଦୃଷ୍ଟିବାଧିତ ଲୋକମାନେ ହଇରାଣ ହେଉଥିବା ନଜରକୁ ଆସିଛି। ଏହି ସମସ୍ୟାକୁ ସମାଧାନ କରିବା ଦିଗରେ ନୂଆ ଆପ୍ଲିକେଶନ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିରେ ଥିବା ବିଭିନ୍ନ ଫିଚର ମଧ୍ୟରେ ଭାଷା ଚୟନ ପରିବର୍ତ୍ତନ କରିବା ସୁବିଧା, ଭଏସ କମାଣ୍ଡ, କ୍ୟାମେରା ବ୍ୟବହାର ଦ୍ୱାରା ନୋଟ ଚିହ୍ନିବା ଟୁଲ ଏବଂ ୩୦ ଦିନର ହିଷ୍ଟ୍ରି ଭଳି ସୁବିଧା ରହିଛି।

Share