Categories: ଖେଳ

ଦୁଲୀପ ଟ୍ରଫି: ନାୟାରଙ୍କ ଲଢ଼ୁଆ ବ୍ୟାଟିଂ

ବେଙ୍ଗାଲୁରୁ, ୨୩।୮(ପି.ଟି.)- ସ୍ଥାନୀୟ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଦୁଲୀପ ଟ୍ରଫି ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ଦିନିଆ ମ୍ୟାଚ୍‌ରେ ପ୍ରିୟାଙ୍କ ପଞ୍ଚାଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ରେଡ୍‌ ଓ ଶୁବମନ ଗିଲଙ୍କ ଇଣ୍ଡିଆ ବ୍ଲୁ ମୁହଁାମୁହିଁ ହୋଇଛନ୍ତି। ଇଣ୍ଡିଆ ବ୍ଲୁ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ରେଡ୍‌ ପ୍ରଥମ ଇନିଂସ ଆରମ୍ଭ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬୮ ଓଭରରେ ୨ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଛି। ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଥିଲା। ୪୩ ରନରେ ଦୁଇ ଓପନରଙ୍କୁ ହରାଇ ରେଡ୍‌ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବେଙ୍ଗଲ୍‌ ଓପନର ଅଭିମନ୍ୟୁ ଈଶ୍ୱରନ ଖାତା ଖୋଲିବା ପୂର୍ବରୁ ରାଜସ୍ଥାନ ବାମହାତୀ ଦ୍ରୁତ ବୋଲର ଅନିକେତ ଚୌଧୁରୀଙ୍କ ବଲ୍‌ରେ ଏଲ୍‌ବିଡବ୍ଳ୍ୟୁ ହୋଇ ପ୍ରଥମେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବରୋଦା ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ପଞ୍ଚାଲ ୪୯ଟି ବଲର ସମ୍ମୁଖୀନ ହୋଇ ୨ ଚୌକା ସହ ୧୫ ରନ କରିଥିବାବେଳେ ଦିଓ୍ବେଶ୍‌ ପଠାନିଆଙ୍କ ବଲ୍‌ରେ ଉଇକେଟକିପର ସ୍ନେଲ ପଟେଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ।
ତେବେ ତୃତୀୟ ଉଇକେଟରେ କରୁନ ନାୟାର ଓ ଅଙ୍କିତ୍‌ କଲସୀ ଲଢ଼ୁଆ ବ୍ୟାଟିଂ କରି ଅପରାଜିତ ୧୨୦ ରନର ଭାଗୀଦାରି ସ୍ଥାପନ କରି ସ୍ଥିତି ସମ୍ଭଳିଥିଲେ। ୨୦୧୭ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ନାୟାର ଜାତୀୟ ଦଳରୁ ବାଦ୍‌ ପଡିଥିଲେ। ତେବେ ଏହି ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ବର୍ଷା ଓ ଖରାପ ଆଲୋକ ଯୋଗୁ ପ୍ରଥମ ଦିନର ସମ୍ପୂର୍ଣ୍ଣ ଖେଳ ସମ୍ଭବପର ହୋଇ ପାରି ନ ଥିଲା। ଷ୍ଟମ୍ପ୍ସ ଅପସାରଣ ବେଳକୁ ନାୟର ୯୨ ଓ କଲସୀ ୪୮ ରନ କରି ଅପରାଜିତ ରହିଛନ୍ତି। ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଅବସରରେ ନାୟାର ୧୮୯ଟି ବଲ୍‌ର ସମ୍ମୁଖୀନ ହୋଇ ୯ଟି ଚୌକା ମାରିଥିଲେ। ସେହିପରି ୧୭୧ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ସହ କାଲସୀ ୪୮ ରନ କରି ଅପରାଜିତ ରହିଥିଲେ। ନାୟାର ଏକାଧୀକ ଆକର୍ଷଣୀୟ ଶଟ୍‌ ଖେଳିଥିଲେ। ବୋଲିଂରେ ଚୌଧୁରୀ ଓ ପଠାଣିଆ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଉଲ୍ଲେଖଥାଉ କି, ଦୁଲୀପ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍‌ ପରସ୍ପରକୁ ଭେଟିଥିଲେ। ତେବେ ବର୍ଷା ଯୋଗୁ ଦ୍ୱିତୀୟ, ତୃତୀୟ ଓ ଚତୁର୍ତ ଦିନର ଖେଳି ଧୋଇଯାଇଥିଲା। ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ କିଛି ଓଭର ଖେଳ ସମ୍ଭବପର ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ: ୬୮ ଓଭରରେ ୧୬୩/୨
(ନାୟାର- ୯୨*, କଲସୀ-୮*, ପଞ୍ଚାଲ- ୧୫, ଚୌଧୁରୀ- ୧/୨୯, ପଠାଣିଆ- ୧/୨୭)।

Share