ଦୁର୍ଘଟଣାରେ ୨ ଛାତ୍ରଙ୍କ ଜୀବନଗଲା

ଠାକୁରମୁଣ୍ଡା,୧୧ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଟାଙ୍ଗୁରସାହି ନିକଟରେ ଗୁରୁବାର ଏକ ବାଇକ୍‌ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଠାକୁରମୁଣ୍ଡା ଥାନା ଅଧୀନ ଗୁହାଳଡିହି ଗ୍ରାମର ବାସୁଦେବ ପାଲଟାଙ୍କ ପୁଅ ସୁନୀଲ ଏବଂ ରାମ ଦାସଙ୍କ ପୁଅ ନିର୍ମଳ। ସୁନୀଲ ଯୁକ୍ତ ୩ ଓ ନିର୍ମଳ ଯୁକ୍ତ ୨ରେ ପଢ଼ୁଥିଲେ। କରଞ୍ଜିଆ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁଯାୟୀ, ସୁନୀଲ ଓ ନିର୍ମଳ ନିଜ ଗ୍ରାମରୁ ବାଇକ୍‌ ଯୋଗେ କୌଣସି କାମରେ କରଞ୍ଜିଆ ଯାଇ ଅପରାହ୍ନ ୩ଟା୩୦ ସମୟରେ ଫେରୁଥିଲେ। ଟାଙ୍ଗୁର ସାହି ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ପିଲରରେ ପିଟି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।