ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ବିଶୋଇ, ୩୧।୫(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ ଅଶନା ଛକଠାରେ ଏକ ସଡକ ଦୁର୍ଘଟଣା ଘଟି ଜନୈକ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ଅଶନା ପଞ୍ଚାୟତର ପାଳଗଡ଼ା ଗ୍ରାମର ଗୋପାଳ ଗିରି (୮୦)।
ରବିବାର ପୂର୍ବାହ୍ନ ୯ଟା ବେଳେ ଗୋପାଳ ଅଶନା ହାଟ ସାରି ୪୯ ନଂ. ଜାତୀୟ ରାଜପଥ ଦେଇ ସାଉକେଲ ଯୋଗେ ନିଜ ଘରକୁ ଫେରିବା ସମୟରେ ରାଉରକେଲାରୁ କୋଲକାତା ଅଭିମୁଖେ ଯାଉଥିବା ଏକ କାର୍‌(ନଂ. ଡବ୍ଲ୍ୟୁ.ବି ୩୦ ଏବି ୩୧୦୩) ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ଉଦ୍ଧାର କରି ପ୍ରଥମେ ବିଶୋଇ ପ୍ରାଥମିକ ଚିକିତ୍ସାଳୟ ଆଣିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ବ୍ଲକ ଛକରେ ସ୍ଥାନୀୟ ଲୋକେ କାର୍‌କୁ କାବୁ କରିବା ପାଇଁ ସମର୍ଥ ହୋଇଥିଲେ। କାର୍‌ ସମେତ ଡ୍ରାଇଭରଙ୍କୁ ବିଶୋଇ ଥାନାରେ ଜିମା ଦେଇଥିଲେ।