Categories: ଜାତୀୟ

ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଗୁରୁତର, ଜଣେ ମୃତ

ରାଏ ବରେଲି/ଉନ୍ନାଓ,୨୯ା୭(ପି.ଟି.): ଉନ୍ନାଓ ବଳାତ୍କାର ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍‌ରେ ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ପୀଡିତା ଏବଂ ଅନ୍ୟ ଦୁଇଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ବିଧାୟକ କୁଲଦୀପ ସେନଗାରଙ୍କୁ ବଳାତ୍କାର ଅଭିଯୋଗରେ ଗତବର୍ଷ ଏପ୍ରିଲ ୧୩ରେ ଗିରଫ କରାଯାଇଥିଲା। ବଳାତ୍କାର ପୀଡିତା, ତାଙ୍କର ଖୁଡୀ, ମାଈଁ ଏବଂ ଆଇନଜୀବୀ ରାଏବରେଲି ଜେଲ୍‌ରେ ଥିବା ପୀଡିତାଙ୍କ ସମ୍ପର୍କୀୟଙ୍କୁ ଦେଖିବାକୁ ଯାଉଥିବାବେଳେ ସେମାନେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପୀଡିତାଙ୍କ ମାଈଁ ଜିଲା ହସ୍ପିଟାଲ୍‌ରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମାନଙ୍କୁ ଲକ୍ଷ୍ନୌସ୍ଥିତ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯିବା ସହିତ ନିରାପତ୍ତା ଯୋଗାଇ ଦିଆଯାଇଥିବା ପୋଲିସ କହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଉକ୍ତିକୁ ଉଦ୍ଧାର କରି ପୋଲିସ କହିଛି ଏକ ଦ୍ରୁତଗାମୀ ଟ୍ରକ୍‌ ପୀଡ଼ିତା ବସିଥିବା କାର୍‌କୁ ଧକ୍କା ଦେଇଥିଲା। ଟ୍ରକ୍‌ ଡ୍ରାଇଭର ଦୁର୍ଘଟଣାସ୍ଥଳ ଛାଡ଼ି ପଳାଇଯାଇଛି।
ଉତ୍ତରପ୍ରଦେଶର ବାଙ୍ଗେରମୌ ଆସନରୁ ୪ଥର ବିଧାୟକ ହୋଇଥିବା ସେନଗାର ୨୦୧୭ରେ ନିଜ ବାସଭବନରେ ବଳାତ୍କାର କରିଥିବା ପୀଡିତାଙ୍କ ମା’ ଅଭିଯୋଗ କରିଥିଲେ। ବଳାତ୍କାର ପୀଡ଼ିତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାବେଳେ ଉକ୍ତ ମାମଲା ଚର୍ଚ୍ଚାର ପରିସରକୁ ଆସିଥିଲା।

Share