Categories: ଫୁରସତ

ଦୁଇ ହାତ ନାହିଁ, ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମଦନଲାଲ

କୁହାଯାଏ, ଦୃଢ଼ ମନୋବଳ ଥିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ବାଧାବିଘ୍ନ ରୋକିପାରିବ ନାହଁି। ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି, ଫତେହାବାଦର ମଦନଲାଲ। ଭାଗ୍ୟ ତାଙ୍କ ସହ ଏଭଳି ଖେଳ ଖେଳିଛି, ଯାହାକୁ ନେଇ ସେ ଭାଙ୍ଗିପଡ଼ିବା ପରିବର୍ତ୍ତେ ଦୃଢ଼ତାର ସହ ସାମ୍ନା କରିଛନ୍ତି। ଜନ୍ମରୁ ମଦନଲାଲଙ୍କର ଦୁଇ ହାତ ନାହଁି। ବୟସ ବଢ଼ିବା ସାଙ୍ଗକୁ ତାଙ୍କ ସହ ଏହି ଦୁଃଖର କଳାବାଦଲ ବଢ଼ି ବଢ଼ି ଚାଲିଥାଏ। ସେ ଯେମିତି ଅନ୍ୟମାନଙ୍କ ଉପରେ ବୋଝ ହୋଇପଡୁଥିବା ଅନୁଭବ କଲେ। ତେଣୁ ସ୍ଥିର କଲେ କାହା ଉପରେ ବୋଝ ନ ହୋଇ ନିଜେ କିଛି କରିଦେଖାଇବେ। ତାଙ୍କର ଏହି ନିଷ୍ଠା ଏବଂ ଇଚ୍ଛାଶକ୍ତି ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଦୁଇ ହାତ ନ ଥାଇ ବି ଆଜି ସେ ପୁରା ଇଲାକାରେ ଜଣେ ଦକ୍ଷ ଦର୍ଜି ଭାବେ ପରିଚିତି ହାସଲ କରିଛନ୍ତି। ଖୁବ୍‌ ସୁନ୍ଦର ଭାବେ ସେ କେବଳ ନିଜର ଦୁଇ ଗୋଡ଼ ସହାୟତାରେ ଡ୍ରେସ୍‌ ସିଲେଇ କରିବାଠୁ ନେଇ ମାପ ନେବା ଏବଂ କଟିଂ କରିବା କାମ କରିଥାନ୍ତି। କେବଳ ସେତିକି ନୁହେଁ, ନିଜର ଦୈନନ୍ଦିନ କାର୍ଯ୍ୟ ଯେମିତିକି ରୋଷେଇ, ଖାଇବା, ଗାଧୋଇବା, ଲୁଗା ସଫା କରିବା, ଦାଢ଼ି ରାମ୍ପିବା, ପଶୁ ଚରାଇବା ଆଦିକୁ ଖୁବ୍‌ ସୁନ୍ଦର ଭାବେ କରିପାରୁଛନ୍ତି। ଭାଗ୍ୟର ଏହି ବିଡ଼ମ୍ବନାକୁ ସେ ଏବେ ଅଭିଶାପ ନୁହେଁ ବରଂ ଏକ ଶିକ୍ଷା ସ୍ବରୂପ ଗ୍ରହଣ କରିଛନ୍ତି। ଅନ୍ୟମାନଙ୍କୁ ବି ଜଣାଇବାକୁ ଚାହଁିଛନ୍ତି, ବିନା ହାତ କିମ୍ବା ଗୋଡ଼ରେ ବି ମଣିଷ ସବୁକିଛି କରିପାରିବ।

Share