ଦୁଇ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳକ ଗିରଫ

ବଡ଼ବିଲ,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ରବିବାର ଦୁଇ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳକଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୁନ୍ଦରଗଡ଼ ଜିଲା କୋଇଡା ଥାନା କାଦଡିହା ଅଞ୍ଚଳର ଜଗନ୍ନାଥ ଲୋହାର ଏବଂ ବଣ୍ଡମୁଣ୍ଡାସ୍ଥିତ ଉତ୍ତମବସ୍ତି ଅଞ୍ଚଳର ରାଜେନ୍ଦର ସୁରିନ। ଉଭୟ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳନା କରୁଥିବା ପୋଲିସ ସୂଚନା ଦେଇଛି। ବଡ଼ବିଲ ଥାନା ଇନ୍ସପେକ୍ଟର ସୁଶାନ୍ତ ଦାଶ କହିଛନ୍ତି, ଗତ ମଙ୍ଗଳବାର ବଡ଼ବିଲ ପୋଲିସ କେନ୍ଦୁଝର ଜିଲା ପାଟଣା ଥାନା ମଲ୍ଲୀପଶି ଅଞ୍ଚଳରେ ଚଢ଼ାଉ କରି ନକଲି ଡ୍ରାଇଭିଂ ଲାଇସେନ୍ସ ତିଆରି କରୁଥିବା ଅଭିଯୋଗରେ ସୁଶାନ୍ତ କୁମାର ବେଜ ଓରଫ ଲୁଲୁଙ୍କ ଗିରଫ କରିଥିଲା। ଲୁଲୁଙ୍କ ଠାରୁ ଏହି ଅଭିଯୁକ୍ତ ଦ୍ୱୟ ୩ ହଜାର ଟଙ୍କା ବିନିମୟରେ ଡ୍ରାଇଭିଂ ଲାଇସେନ୍ସ କ୍ରୟ କରିଥିବା ଜଣାପଡ଼ିଥିଲା। ତେଣୁ ପୋଲିସ ଜଗନ୍ନାଥ ଓ ରାଜେନ୍ଦରଙ୍କୁ ଗିରଫ କରିଛି।