ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: ଜଳିଗଲା ହୋଟେଲର ସମସ୍ତ ଆସବାବପତ୍ର

ବ୍ରହ୍ମପୁର ଅଫିସ, ୧୮।୯: ବ୍ରହ୍ମପୁର ସହରର ୨ଟି ସ୍ଥାନରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଆଶୁତୋଷ ହସ୍ପିଟାଲ ନିକଟରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟଦେଇ ଯାଇଥିବା ଓରଟେଲ୍‌ ତାରରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତାର ଜଳିଯିବା ସହ ସେଟ୍‌ଅପ୍‌ ବକ୍ସ ଜଳିଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ରାତି ପ୍ରାୟ ସାଢ଼େ ୧୧ଟାରେ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ କେ.କେ. କମଲେକ୍ସ ସମ୍ମୁଖରେ ଥିବା ଏକ ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ଏ ନେଇ ଦୋକାନ ମାଲିକ ଟିକିନା ସାହୁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ୨ଟି ୱାଟର ଟ୍ୟାଙ୍କ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଦୋକାନ ଭିତରେ ଥିବା ଅଟା, ବିରି, ବେସନ, ମଇଦା, ଗ୍ରାଇଣ୍ଡର ମେଶିନ ସମେତ ଅନ୍ୟାନ୍ୟ ଆସବାବପତ୍ର ଅଗ୍ନିକାଣ୍ଡରେ ପୋଡିଯାଇଛି। ତେବେ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଷ୍ଟେଶନ ଅଫିସର ଉଗ୍ରସେନ ସାଇ ସୂଚନା ଦେଇଛନ୍ତି ।