ଦୀପ୍ତିଜ୍ୟୋତି ସୁପର ମଡେଲ

ଭୁବନ, ୨ା୨(ଡି.ଏନ.ଏ.) – ସର୍ବଭାରତୀୟସ୍ତରରେ ଆୟୋଜିତ ଏଆଇଡବ୍ଲ୍ୟଏ ସୁପର ମଡେଲ ପ୍ରତିଯୋଗିତାରେ ବାଜିମାତ୍‌ କରିଛନ୍ତି ଢେଙ୍କାନାଳ ଜିଲା ଭୁବନର ଦୀପ୍ତିଜ୍ୟୋତି ପଟ୍ଟନାୟକ (୨୪)। ବମ୍ବେରେ ଆୟୋଜିତ ଏହି ପ୍ରତିଯୋଗିତାରେ ୬ଜଣ ପୁଅ ଏବଂ ୬ଜଣ ଝିଅଙ୍କୁ ପଛରେ ପକାଇ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ଦୀପ୍ତିଜ୍ୟୋତି। ଏହାପରେ ତାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ।
ଭୁବନ ଏନ୍‌ଏସି ଅଧୀନ ୫ନଂ. ୱାର୍ଡରେ ଦୀପ୍ତିଜ୍ୟୋତି ଘର। ବି-ଟେକ୍‌ ସାରିବା ପରେ ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି। ପିଲାଟି ଦିନରୁ ମଡେଲିଂ ଥିବା ଆଗ୍ରହ ତାଙ୍କୁ ଏହି ସଫଳତା ଆଣିଦେଇଛି। ଏ ନେଇ ଦୀପ୍ତିଜ୍ୟୋତି କହିଛନ୍ତି, ଜେଜେ ମା’ ସରୋଜବାଳା ଓ ଜେଜେ ବାପା ପଦ୍ମନାଭଙ୍କ ପ୍ରେରଣାରୁ ସେ ଏତେ ବାଟ ଆସିପାରିଛନ୍ତି। ଏହି ସଫଳତାରେ ମା’ ମିନତି ଏବଂ ବାପା ପ୍ରଭାତ ଖୁସି ବ୍ୟକ୍ତ କରିଛନ୍ତି। ଭୁବନ ନଟରାଜ କଳାବିକାଶ କେନ୍ଦ୍ରରୁ ନୃତ୍ୟ ପ୍ରଶିକ୍ଷଣ ନେଇ ସେ କଳାନୈପୁଣ୍ୟର ପରିଚୟ ଦେଇଥିଲେ। ତାଙ୍କୁ ଅଞ୍ଚଳର କଳାକାରଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।