Categories: ଜାତୀୟ

ଦିଲ୍ଲୀ ସରକାରଙ୍କ ପାଇଁ ବିଳମ୍ବ ହେଉଛି ନିର୍ଭୟା ଦୋଷୀଙ୍କ ଫାଶୀ: ଭାଜପା

ନୂଆଦିଲ୍ଲୀ,୧୬।୧: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କଂଗ୍ରେସ ଓ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶିଖ୍‌ ଦଙ୍ଗା ସମୟରେ କଂଗ୍ରେସ ଦୋଷୀଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ କୋହଳ ମନୋବୃତ୍ତି ପୋଷଣ କରିଥିଲା। ସେମିତି ନିର୍ଭୟା ଗଣ ବଳାତ୍କାର ମାମଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବକୁ ନେଇ ସେ ଏଏପି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ନିର୍ଭୟା ଗଣ ବଳାତ୍କାର ମାମଲା ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେବାର ମୁଖ୍ୟ କାରଣ ହେଉଛି ଏଏପି ସରକାରଙ୍କ ଖାମଖିଆଲି ମନୋଭାବ। ଉଚ୍ଚ ନ୍ୟାୟଳୟ ଏମାନଙ୍କ ଆବେଦନକୁ ୨୦୧୭ରେ ଖାରଜ କରିଦେବା ସହ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଏହାପରେ ଜେଲ୍‌ ପ୍ରଶାସନ ଦୋଷୀଙ୍କୁ ଏକ ନୋଟିସ ଜାରି କରି କ୍ଷମା ଆବେଦନ ପାଇଁ କହିବା କଥା। ହେଲେ ଦୀର୍ଘ ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଏହି ନୋଟିସ ଜାରି କରାଯାଇ ନ ଥିଲା। ଏହା କେବଳ ଦିଲ୍ଲୀ ସରକାରଙ୍କ ସହାନୁଭୂତି ପାଇଁ ହୋଇଛି ବୋଲି ଜାଭଡେକର କହିଛନ୍ତି। ତେଣୁ ଏହି ମାମାଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେବାର ମୁଖ୍ୟ କାରଣ ଏଏପି ସରକାର ବୋଲି ସେ ଅଭିଯୋଗ କରିଛନ୍ତି।

Share