ଦିଲ୍ଲୀରେ ବସ୍‌, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି

ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା ଆରମ୍ଭ କରିବା ସହ ବଜାର ଖୋଲିବା ପାଇଁ ଅନୁମତି ମିଳିଛି। ଦିଲ୍ଲୀରେ ବସ୍‌, ଟ୍ୟାକ୍ସି ଓ ଅଟୋରିକ୍ସା ସୀମିତ ଯାତ୍ରୀରେ ଚଳାଇବାକୁ ଅରବିନ୍ଦ କେଜରିଓ୍ବାଲ ସରକାର ଅନୁମତି ଦେଇଛନ୍ତି। ବସ୍‌ରେ ୨୦, ଟ୍ୟାକ୍ସିରେ ୨ ଓ ଅଟୋରିକ୍ସାରେ ଜଣେ ଯାତ୍ରୀ ଯାଇପାରିବେ। ବସ୍‌ରେ ବସିବା ପୂର୍ବରୁ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଘରୋଇ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କର୍ମଚାରୀରେ ଖୋଲିବାକୁ ଅନୁମତି ମିଳିଥିଲେ ହେଁ ଯେତେସମ୍ଭବ ଅଧିକ କର୍ମଚାରୀ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ବଜାର ଖୋଲିବାକୁ କୁହାଯାଇଥିଲେ ହେଁ ଦୋକାନଗୁଡ଼ିକ ଯୁଗ୍ମ-ଅଯୁଗ୍ମ ସୂତ୍ରରେ ଖୋଲିବେ। ସ୍ପୋଟର୍‌ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମ ଖୋଲିବ କିନ୍ତୁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ତେବେ ସେଲୁନ, ସ୍ପା ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ଅନ୍ୟ କୌଣସି କାର୍ଯ୍ୟରେ କେହି ବାହାରକୁ ବାହାରିପାରିବେ ନାହିଁ।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁହେବ ନାହଁ। ମେ’ ୨୭ରୁ ହକରମାନଙ୍କ ବଜାର ସମେତ ସେଲୁନ ଓ ପାର୍ଲର ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସେହିପରି ଆନ୍ତଃଜିଲା ବସ୍‌ ସେବା ଆରମ୍ଭ ହୋଇପାରେ ବୋଲି ଜଣାପଡିଛି। କେରଳରେ ଅନ୍‌ଲାଇନ ବ୍ୟବସ୍ଥା ପ୍ରସ୍ତୁତ ହୋଇଗଲେ ମଦ ଦୋକାନ ଖୋଲିବ। ବାର୍‌ଗୁଡ଼ିକ କାଉଣ୍ଟରରେ ମଦ ବିକ୍ରି କରିପାରିବେ। କ୍ଲବ୍‌ଗୁଡ଼ିକ ଖାଦ୍ୟ ଓ ମଦ ପାର୍ସଲରେ ବିକ୍ରି କରିବା ଲାଗି ଅନୁମତି ମିଳିଛି। ସେହିପରି ଶପିଂ କମ୍ପ୍ଲେକ୍ସରେ ପାଳି କରି ୫୦ ପ୍ରତିଶତ ଦୋକାନ ଖୋଲାଯାଇପାରିବ। ସେଲୁନ୍‌ ଓ ବିଉଟି ପାର୍ଲରକୁ ବିନା ଏସିରେ ଖୋଲିବାକୁ ଅନୁମତି ମିଳିଛି। ପଞ୍ଜାବରେ ୨୦ରୁ ବସ୍‌ ଚଳାଚଳ କରିବ। ସେଠାରେ ୫୦ ପ୍ରତିଶତ ଯାତ୍ରୀରେ ବସ୍‌ ଚଳାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

Share