ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ ନ ଥିବା ବେଳେ ସେମାନଙ୍କ ପରିବାର ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଏହି କ୍ରମରେ ଦିଲ୍ଲୀ ପୋଲିସର ସବ୍‌-ଇନ୍ସପେକ୍ଟର(ଏସ୍‌ଆଇ)ଙ୍କ ସମେତ ତାଙ୍କ ପରିବାର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ଦିଲ୍ଲୀର ମଡେଲ ଟାଉନ୍‌ ପୋଲିସ କଲୋନୀର ୩ଟି ବ୍ଲକ୍‌କୁ ସିଲ୍‌ କରିଦିଆଯାଇଛି। ଏହି କଲୋନୀରେ ଏସ୍‌ଆଇ ଓ ତାଙ୍କ ପରିବାର ରହୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏସ୍‌ଆଇଙ୍କ ପତ୍ନୀ ଏସ୍‌ଏନ୍‌ଜିପି ହସ୍ପିଟାଲରେ କାର୍ଯ୍ୟ କରନ୍ତି। ପ୍ରଥମେ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଏସ୍‌ଆଇ ଓ ତାଙ୍କ ପୁଅ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଡିଏସ୍‌ପି ସୂଚନା ଦେଇଛନ୍ତି। ତେବେ ପରିବାରର ୩ ସଦସ୍ୟ କରୋନା ପଜିଟିଭ୍‌ ବାହାରିବା ପରେ ୩ବ୍ଳକ- ଜି,ଏଚ୍‌ ଓ ଆଇକୁ ସିଲ୍‌ କରିଦିଆଯାଇଛି ବୋଲି ଡିଏସ୍‌ପି କହିଛନ୍ତି। ଅପରପକ୍ଷେ ବୁଧବାର ଦିଲ୍ଲୀ ପୋଲିସର ୨ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

Share