Categories: ଜାତୀୟ

ଦିଲ୍ଲୀବାସୀଙ୍କୁ କେଜ୍‌ରିଓ୍ବାଲ କହିଲେ ‘ଆଇ ଲଭ୍‌ ୟୁ’

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)। ମଙ୍ଗଳବାର ଭୋଟଗଣତି ପରେ ଏଏପି ଶାସନ କରିବା ସ୍ପଷ୍ଟ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା ଦେଶ ଏବଂ ଦିଲ୍ଲୀବାସୀଙ୍କ ଜିତ୍‌। ଯେଉଁ ଦଳ କାମ କରିବ ଏବେ ସେ ଜିତିବ। ଯିଏ ୨୪ ଘଣ୍ଟା ବିଜୁଳି ଦେବ, ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରିବ, ଶିକ୍ଷା ବ୍ୟବସ୍ଥା ସୁଧାରିବ, ସେ ହିଁ କ୍ଷମତାକୁ ଆସିବ। ଦିଲ୍ଲୀବାସୀ ପୁଅ ଭାବି ସମର୍ଥନ ଜଣାଇଛନ୍ତି। ସେଥିପାଇଁ ଧନ୍ୟବାଦ। ଆପଣ ଚମତ୍କାର କରି ଦେଖାଇଛନ୍ତି। ‘ଆଇ ଲଭ ୟୁ’। ଏହି ବିଜୟ ଦେଶକୁ ୨୧ତମ ଶତାବ୍ଦୀକୁ ନେଇଯିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ଏହି ଅବସରରେ ତାଙ୍କ ସହ ସଞ୍ଜୟ ସିଂ ଏବଂ ଗୋପାଳ ରାୟ ନଜରକୁ ଆସିଥିବା ବେଳେ ସିସୋଦିଆ ନ ଥିଲେ।

ଦୀର୍ଘ ଦିନ ଧରି ଦିଲ୍ଲୀ ବିଧାନସଭାକୁ ନେଇ ରାଜନୀତି ପାଣିପାଗ ଉଷ୍ମ ରହିଆସୁଥିଲା। ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ଏଏପି ୬୨ ଆସନରେ ଅଗ୍ରଣୀ ରହିଥିବା ବେଳେ ଭାଜପା ମାତ୍ର ୮ ଆସନରେ ଆଗୁଆ ରହିଛି। ଅପରପକ୍ଷେ କଂଗ୍ରେସ ଆଦୌ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଦଳର ଏଭଳି ବିଜୟ ପରେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍‌ରିଓ୍ବାଲ।

Share