ଦିନରାତି କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ: ଟ୍ରେନ୍‌, ବସ୍‌ରେ ଆସୁଥିବା ପ୍ରବାସୀଙ୍କୁ କରାଯାଉଛି ସାନିଟାଇଜ

ଛତ୍ରପୁର,୧।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ଅଗ୍ନିଶମ କର୍ମଚାରୀ ଦିନରାତି କାର୍ଯ୍ୟରେ ଲାଗିଛନ୍ତି। ଉଭୟ ବ୍ରହ୍ମପୁର, ଜଗନ୍ନାଥପୁର ଷ୍ଟେଶନକୁ ଅନ୍ୟ ରାଜ୍ୟରୁ ପ୍ରବାସୀମାନେ ଆସୁଛନ୍ତି। ପ୍ରବାସୀ ଓହ୍ଲାଇବା ପରେ ଷ୍ଟେଶନରେ ତାଙ୍କ ବ୍ୟାଗ୍‌ଠାରୁ ଆରମ୍ଭ କରି ପ୍ଲାଟ୍‌ଫର୍ମ, ସହ ପୂରା ଟ୍ରେନ୍‌କୁ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ସାନିଟାଇଜ୍‌ କରାଯାଉଛି। ଷ୍ଟେଶନରୁ ପ୍ରବାସୀଙ୍କୁ ଓଏସ୍‌ଆରଟିସି, ସିଟିବସ୍‌, ଘରୋଇ ବସ୍‌ ଯୋଗେ ନିଜ ବ୍ଲକକୁ ପଠାଯାଉଛି। ଏଣୁ ଗାଡି ଚାଳକଙ୍କୁ ନିୟମିତ ସାନିଟାଇଜ କରାଯାଉଥିବା ଗଞ୍ଜାମ ଆରଟିଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ରାଜ୍ୟରୁ ଗଞ୍ଜାମ ଜିଲା ଦେଇ ଫେରୁଥିବା ପ୍ରବାସୀ ଓ ଗାଡ଼ିର ପଞ୍ଜୀକରଣ ଗିରିଶୋଳା ଚେକ୍‌ ଗେଟ୍‌ରେ କରାଯାଉଛି । ଏଠାରେ ଶିକ୍ଷା, ପରିବହନ କର୍ମଚାରୀ ୨୪ ଘଣ୍ଟିଆ କାମ କରୁଛନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହଳଦିଆପଦର ବସ୍‌ ଟର୍ମିନାଲରେ ପ୍ରବାସୀଙ୍କୁ ଖାଦ୍ୟ, ପାଣି ଦେବା ପରେ ବସ୍‌ ଯୋଗେ ନିଜ ଅଞ୍ଚଳକୁ ପଠାଯାଉଛି।