ଦିନକୁ ତିନିଥର ଉଷୁମ ପାଣି ପିିଏ

ଶୋଭନା ମିଶ୍ର। ଟେଲି ଜଗତରେ ଜଣେ ସୁପରିଚିତ ନାଁ। ଟେଲିଭିଜନରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଂ କରନ୍ତି। ନିଜ କଥାର ଯାଦୁରେ ସେ ଦୀର୍ଘ ସମୟ ଧରି ଦର୍ଶକଙ୍କୁ କାର୍ଯ୍ୟକ୍ରମ ଦେଖିବା ପାଇଁ ବାଧ୍ୟ କରିଥାନ୍ତି। ସେ ଦେଖିବାକୁ ଯେମତି ଚୁଲବୁଲି ତାଙ୍କ ଉପସ୍ଥାପନା ମଧ୍ୟ ସେମିତି ରୋମାଞ୍ଚକର।
କମ୍‌ ବୟସରେ ଶୋଭନା ଆଙ୍କରିଂ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ତେବେ ବ୍ୟସ୍ତତା ଜୀବନରେ ସେ ନିଜର ସ୍ବାସ୍ଥ୍ୟ ପ୍ରତି କେବେ ହେଲେ ଅବହେଳା କରନ୍ତି ନାହିଁ। ପ୍ରଥମେ ପ୍ରଥମେ ଯଦିଓ ଶୁୁଟିଂ କାମ ମଧ୍ୟରେ ନିଜ ଶରୀର ପ୍ରତି ଧ୍ୟାନ ଦେଇପାରୁନଥିଲେ। କିନ୍ତୁ ଏବେ ସେ କେମିତି ଫିଟ୍‌ ରହିବେ ସେଥିପାଇଁ ସବୁବେଳେ ପ୍ରୟାସ କରୁଛନ୍ତି। ପ୍ରତିଦିନ ସକାଳୁ ଉଠିଲେ ଏକ କଫି ମଗ୍‌ ଉଷୁମ ପାଣି ପଅନ୍ତି। ଏହାପରେ ବ୍ରେକ୍‌ଫାଷ୍ଟରେ କେକ୍‌ ଓ କିଛି ମିଠା ସହିତ ଲୁଣିଆ ଖାଦ୍ୟ ଖାଇଥାନ୍ତି। ଲଞ୍ଚରେ ଅଳ୍ପ ଭାତ ସହିତ ଅଧିକ ଗ୍ରିନ୍‌ ଭେଜିଟେବୁଲରେ ପ୍ରସ୍ତୁତ ତରକାରୀ ଅଧିକ ଖାଆନ୍ତି। ଏହା ସହିତ ସାଲାଡ୍‌ ଖାଇବାକୁ ସେ ଭୁଲନ୍ତି ନାହାନ୍ତି। ଖାଇବାର ଅଧଘଣ୍ଟା ପରେ ପୁଣି ଥରେ ଉଷୁମ ପାଣି ପିଅନ୍ତି। ସେହିପରି ଡିନର୍‌ରେ ଗୋଟିଏ ରୋଟି ସହିତ ଅଧିକ ତରକାରୀ ଖାଆନ୍ତି।
ଶୋଭନା ରାତିରେ ଶୋଇବାର ୧୫ମିନିଟ୍‌ ପୂର୍ବରୁ ଉଷୁମ ପାଣି ପିଅନ୍ତି। ଉଷୁମ ପାଣି ପିଇଲେ ସ୍କିନ୍‌ ଗ୍ଲେଜ୍‌ କରିବା ସହିତ ମୋଟାପଣକୁ ଦୂରେଇ ରଖିଥାଏ। ତେଣୁ ସେ ଦିନକୁ ତିନିଥର ଉଷୁମ ପାଣି ପିଇଥାନ୍ତି ବୋଲି ଶୋଭନା କୁହନ୍ତି। ତାଙ୍କ ମତରେ ଉଷୁମ ପାଣି ପିଇଲେ ବ୍ରେନ୍‌ ସକ୍ରିୟ ରହିବ। ତେଲମସଲା ଖାଦ୍ୟଠାରୁ ସେ ଦୂରେଇ ରୁହନ୍ତି। ଆଉ ସବୁବେଳେ ଘରୋଇ ଖାଦ୍ୟକୁ ପସନ୍ଦ କରନ୍ତି। ଜଣେ ସେଲିବ୍ରିଟି ବୋଲି ନୁହେଁ, ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବାକୁ ହେଲେ ଫିଟ୍‌ ରହିବା ଜରୁରୀ। ବିଶେଷ କରି ମହିଳାମାନେ ନିଜେ ଫିଟ୍‌ ରହିବା ଆବଶ୍ୟକ ବୋଲି ଶୋଭନା କୁହନ୍ତି।

Share