ଦାଦନଙ୍କୁ ସ୍ମୃତି ଇରାନୀଙ୍କ ସହାୟତା ଖବର ଗୁଜବ: ପି. ବିଜୟନ୍‌

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ସଂସଦୀୟ କ୍ଷେତ୍ର ଅମେଠିର ଦାଦନ ଶ୍ରମିକମାନଙ୍କୁ କେରଳର ଓ୍ବାୟନାଡ୍‌ରେ ସହଯୋଗର ହାତ ବଢ଼ାଇଥିବା ନେଇ କେତେକ ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହା ଏକ ମିଛ ଖବର ଓ ଗୁଜବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଖଣ୍ଡନ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ଅମେଠି ଲୋକ ସଭା ଆସନରେ ସ୍ମୃତି ଜୁବିନ ଇରାନୀ ହରାଇଥିଲେ। ହେଲେ ରାହୁଲ ଓ୍ବାୟନାଡ୍‌ ଆସନରେ ବିଜୟୀ ହୋଇଥିଲେ। ସମ୍ପ୍ରତି କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ଓ୍ବାୟନାଡ୍‌ରେ ଅମେଠିର କେତେଜଣ ଦାଦନ ଶ୍ରମିକ ଓ ସେମାନଙ୍କ ପରିବାର ଫସିରହିଥିଲେ। ସେମାନଙ୍କୁ ଇରାନୀ ସହାୟତା ଦେଇ ଉଦ୍ଧାର କରିଥିବା ନେଇ ଏପ୍ରିଲ ୬ରେ ଆର୍‌ଏସ୍‌ଏସ୍‌ ମୁଖପତ୍ର ‘ଅର୍ଗାନାଇଜର୍‌’ରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ବିଜୟନ୍‌ କହିଛନ୍ତି, ଇରାନୀ କାହାକୁ ସହଯୋଗ କରି ନ ଥିବାରୁ ଏପରି ଦାବି କରିବା ଭୁଲ୍‌। ଫସିଥିବା ଦାଦନ ପରିବାରଙ୍କୁ ପ୍ରକୃତରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ସାହାଯ୍ୟ କରିଥିଲେ।

Share