ଦାଦନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ଶାହା

ନୂଆଦିଲ୍ଲୀ,୨୯ା୩(ପି.ଟି.): ୨୧ ଦିନିଆ ଲକ୍‌ଡାଉନ ବେଳେ ଦାଦନ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର କହିଛନ୍ତି। ନିଜ ରାଜ୍ୟକୁ ଫେରି ନ ପାରି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ ଓ ତୀର୍ଥଯାତ୍ରୀମାନଙ୍କ ଲାଗି ତୁରନ୍ତ ରିଲିଫ୍‌ କ୍ୟାମ୍ପ ସ୍ଥାପନ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦାଦନ ଶ୍ରମିକଙ୍କୁ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି କୋଭିଡ୍‌-୧୯ ମୁକାବିଲା ସମ୍ପର୍କିତ ସ୍ଥିତି ସମୀକ୍ଷା ବେଳେ ଶାହା କହିଛନ୍ତି। ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରୁ ଅର୍ଥ ବ୍ୟୟ କରିବାକୁ ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଇଛି। ଆସନ୍ତା ଆର୍ଥତ୍କ ବର୍ଷ ଲାଗି ସରକାର ଏସ୍‌ଡିଆର୍‌ଏଫକୁ ୨୯,୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେହିପରି ଦାଦନଙ୍କ ସ୍ବାସଥ୍ୟ ପରୀକ୍ଷା ଲାଗି କ୍ୟାମ୍ପ କରିବା ପାଇଁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯଇଛି।

Share