Categories: କୋରାପୁଟ

ଦାଣ୍ଡରେ ବିତୁଛି ପ୍ରତିଷ୍ଠିତ ମିଲ୍‌ ମାଲିକଙ୍କ ଜୀବନ

ଜୟପୁର,୧୮।୩(ନି.ପ୍ର.) – ଜୀବନରେ ଅଭାବ କ’ଣ ଜଣା ନ ଥିଲା। ପାଖରେ ଥିଲା ୨୫ ଏକର ଚାଷଜମି, ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନଘର ସାଙ୍ଗକୁ ଧାନ ମିଲ୍‌। ଏସବୁ ସମ୍ପତ୍ତିର ମାଲିକ ଥିବା ଦମ୍ପତି ଏବେ ନିଃସ୍ବ। ଯୋଗାଣ ବିଭାଗର ଚଞ୍ଚକତା ଯୋଗୁ ଏଭଳି ଦଶା ଭୋଗିବାକୁ ପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି।
ନୂଆଗାଁର ଦମୟନ୍ତୀ ମହାପାତ୍ର। ବୟସ ପାଖାପାଖି ୭୫ ହେବ। ତାଙ୍କ ସ୍ବାମୀ ୮୦ ବର୍ଷୀୟ ସୁବାସ ମହାପାତ୍ର। ପରିଣତ ବୟସରେ ଜୀବନର ଶେଷ ସମୟ ଏମିତି ଅଭିଶପ୍ତ କଟିବ ବୋଲି ସେମାନେ ଆଶା କରି ନ ଥିଲେ। ଅଭାବ ବୋଲି କିଛି ନ ଥିଲା। ବୋରିଗୁମ୍ମା ନିକଟସ୍ଥ ନୂଆଗାଁରେ ଏମାନଙ୍କ ଗୋଟିଏ ଧାନ ମିଲ ସହ ୨୫ ଏକର ଚାଷଜମି ଓ ଜାତୀୟ ରାଜପଥ କଡ଼ରେ ଅନେକ ଦୋକାନ ଘର ବି ଥିଲା। କିନ୍ତୁ ଦୁର୍ଭାଗ୍ୟ, ୩ ବର୍ଷ ହେଲା ମିଲଠାରୁ ଆରମ୍ଭ କରି ସବୁ ଦୋକାନ ଘରେ ତାଲା ଝୁଲୁଛି। ଏହି ତାଲା ଅନ୍ୟ କେହି ନୁହେଁ, ବରଂ ପ୍ରଶାସନ ମାରିଛି। ସେହିପରି ଜମିଗୁଡିକୁ ମଧ୍ୟ ପ୍ରଶାସନ ନିଜ ଦଖଲକୁ ନେଇଛି। ଏହା ପରେ ପରିସ୍ଥିତି ଏମିତି ହେଲା ଯେ ଏମାନେ ନିଜ ଗାଁ ଛାଡ଼ି ଏବେ ଜୟପୁରରେ ଜଣେ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। କିଏ ଦେଲେ ଖାଉଛନ୍ତି, ନ ହେଲେ ନାହିଁ। ଏତେ ସମ୍ପତ୍ତିର ମାଲିକ ଥିବା ଏହି ଦମ୍ପତି ବୟସାଧିକ କାରଣରୁ ନିଜ ସମସ୍ତ ସମ୍ପତ୍ତି ନିଜ ପୁଅମାନଙ୍କୁ ତଦାରଖ ପାଇଁ ଦେଇଥିଲେ। ସାନପୁଅଙ୍କୁ ମିଲର ପାଓ୍ବାର ଅଫ ଆଟର୍ଣ୍ଣି ଓ ମଝିଆ ପୁଅଙ୍କୁ ଚାଷଜମିର ମାଲିକାନା ୨୦୧୩ରେ ଦେଇଥିଲେ। ଆଉ ଏହିଠାରୁ ହିଁ ଯୋଗାଣ ବିଭାଗ ସହ ଏମାନଙ୍କ ବିବାଦ ଆରମ୍ଭ ହୋଇଥିଲା। ଯାହା ପାଇଁ ପୂରା ପରିବାର ଏବେ ସର୍ବସ୍ବାନ୍ତ। ପରିବାରର ଅଭିଯୋଗ ହେଉଛି, ୨୦୧୩ରେ ଧାନ ଯୋଗାଇବାକୁ ସେମାନଙ୍କ ଦମୟନ୍ତୀ ରାଇସ ମିଲ ଯୋଗାଣ ବିଭାଗ ଚୁକ୍ତି କରି ନ ଥିଲା। କିନ୍ତୁ ଯୋଗାଣ ବିଭାଗ ସେମାନଙ୍କୁ ୮ ହଜାର କୁଇଣ୍ଟାଲ ଧାନ ଯୋଗାଇଥିବା ଜାଲ ଦସ୍ତାବିଜ ପ୍ରସ୍ତୁତ କରି ପାଖାପାଖି ଦେଢ କୋଟି ଟଙ୍କା ବକେୟା ଦାବି କରିଥିଲା। ଏହି ଅର୍ଥ ସେମାନେ ଦେଇ ନ ପାରିବାରୁ ମିଲରେ ତାଲା ମାରିଛି ଯୋଗାଣ ବିଭାଗ। କେବଳ ଏତିକି ନୁହଁ ଚାଷଜମି ବି ପ୍ରଶାସନ ନିଜ ଦଖଲକୁ ନେବା ସହ ବିନା ଦୋଷରେ ତାଙ୍କ ମଝିଆ ଭାଇଙ୍କ ରହିବା ଘର ଓ ଦୋକାନରେ ବି ତାଲା ପକାଇଛି। ଏହି ମାମଲା ଏବେ ଆର୍‌ଡିସିଙ୍କ ପାଖରେ ବିଚରାଧୀନ ରହିଛି। କୋର୍ଟଙ୍କ ରାୟ ଆସିବା ପରେ ହିଁ ସବୁ ସ୍ପଷ୍ଟ ହୋଇପାରିବ, ତା’ ପୂର୍ବରୁ ଦସ୍ତାବିଜ ଜାଲ୍‌ ବୋଲି କହିହେବନି ବୋଲି କହିଛନ୍ତି ଜିଲା ଯୋଗାଣ ଅଧିକାରୀ।