ଦାଉସାଧିଲା ବ୍ରଜପାତ: ପୋଡ଼ିଗଲା ଟ୍ରାନ୍ସଫର୍ମର, ଅସହ୍ୟ ଗରମରେ ଉପଭୋକ୍ତା

ବନ୍ତ,୧୨ା୪(ଡି.ଏନ୍‌.ଏ): କରୋନା ଲକ୍‌ଡାଉନ୍‌ ଓ ଗ୍ରୀଷ୍ମ ପ୍ରବାହ ବେଳେ ବଜ୍ରପାତ ସାଧାରଣ ଲୋକଙ୍କ ପାଇଁ ଦାଉସାଧିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ଅନ୍ଧାର, ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି। ଏଥିସହ ବିଭିନ୍ନ ବିଦ୍ୟାଳୟ ଓ ସାମୟିକ ସ୍ବାସ୍ଥ୍ୟ ଶିବିର ମଧ୍ୟ ଏହି ସମସ୍ୟାରୁ ବାଦ୍‌ ପଡ଼ିନାହିଁ। ଶନିବାର ଅପରାହ୍ନରେ ବଜ୍ରପାତ ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ବଜାରରେ ଥିବା ୨୫କେ.ଭି ଏବଂ ଷେଣ୍ଢତୀରା ପଞ୍ଚାୟତ ପରମାନନ୍ଦପୁର ଗ୍ରାମରେ ଥିବା ୧୬କେ.ଭି ଟାନ୍ସଫର୍ମର ପୋଡ଼ିଯାଇଛି। ବର୍ତ୍ତମାନ ଲକ୍‌ଡାଉନ୍‌ ପରିସ୍ଥିତିରେ ନିଳୋକ ହାଇସ୍କୁଲଠାରେ ଖୋଲା ଯାଇଥିବା ସାମୟିକ ସ୍ବାସ୍ଥ୍ୟ ଶିବିର ୨ଦିନ ଧରି ଅନ୍ଧାରରେ ରହିଛି। ସେହିପରି ଉପରୋକ୍ତ ଟ୍ରାନ୍ସଫର୍ମର ୨ଟିରେ ଥିବା ଉପଭୋକ୍ତାମାନେ ଅନ୍ଧାର ସହିତ ଅସହ୍ୟ ଗରମରେ ହନ୍ତସନ୍ତ ହେଉଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।