ଦଶ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିବା ପରେ ସମାଲୋଚିତ ହେଉଛନ୍ତି ପିସି: କହିଲେ ତାଙ୍କୁ ଫରକ ପଡ଼େନାହିଁ

ମୁମ୍ବାଇ: ଆମେରିକୀୟ ଗାୟକ ନିକ୍‌ ଜୋନାସ୍‌ଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ପ୍ରିୟଙ୍କା ଚୋପ୍ରା ଓରଫ ପିସି। ନିକ୍‌ ପ୍ରିୟଙ୍କାଙ୍କଠାରୁ ବୟସରେ ସାନ ହୋଇଥିବା ହେତୁ ପିସିଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି। ହେଲେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ ସେ। ନିକଟରେ ଏକ ସାକ୍ଷାତ୍‌କାର ସମୟରେ ପିସିଙ୍କୁ ଏହାକୁ ନେଇ ପ୍ରଶ୍ନ କରାଯାଇଥିଲା। ନିକ୍‌ ଓ ତାଙ୍କ ଭିତରେ ଥିବା ୧୦ ବର୍ଷ ବ୍ୟବଧାନକୁ ନେଇ ବିବାହ ପୂର୍ବରୁ ଓ ପରେ ଲୋକମାନେ ଅନେକ କଥା କୁହନ୍ତି। ଏସବୁକୁ ଶୁଣିବାକୁ ପଡ଼େ। ଯଦି ଗୋଟିଏ ଝିଅଠାରୁ ପୁଅର ବୟସ ବଡ଼, ତାହାହେଲେ କୌଣସି ଫରକ ପଡ଼େନାହିଁ, ହେଲେ ଯଦି ଝିଅର ବୟସ ବଡ଼ ହୋଇଯାଏ, ତେବେ ଲୋକଙ୍କ ସମାଲୋଚନାର ପରିସରକୁ ଆସିଯାଏ ବୋଲି ପ୍ରିୟଙ୍କା କହିଛନ୍ତି। ତେବେ ଯେବେ ବି ଉଭୟଙ୍କୁ ନେଇ କୌଣସି ଚର୍ଚ୍ଚା ହୁଏ, ସେତେବେଳେ ନିକ୍‌ ତାଙ୍କ ସାଙ୍ଗରେ ଛିଡ଼ା ହୁଅନ୍ତି ବୋଲି ସେ କହିଛନ୍ତି। ସେ ନିଜ ବିବାହକୁ ନେଇ ବେଶ ଗର୍ବ କରନ୍ତି ବୋଲି ମଧ୍ୟ କହିଛନ୍ତି।
ନିକ୍‌-ପ୍ରିୟଙ୍କା ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ଧର୍ମାନୁଯାୟୀ ବିବାହ କରିଥିଲେ। ସେବେଠାରୁ ଉଭୟ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। କେହି କେହି ନିକ୍‌ଙ୍କୁ ଭିଣୋଇ ବୋଲି ସମ୍ବୋଧନ କରୁଥିବା ଦେଖାଯାଇଛି।

Share