ଦଲାଲ ନାମରେ ଗିରଫଦାରିକୁ ଏମ୍‌ଆର୍‌ଙ୍କ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨।୧୦- ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ(ଓଏସ୍‌ଆର୍‌ୟୁ) ଡାକରାରେ ଅନୁଗୋଳ ସହରରେ କାର୍ଯ୍ୟ କରୁଥିବା ସମସ୍ତ ମେଡିସିନ ରିପ୍ରେଜେଣ୍ଟେଟିଭ (ଏମ୍‌ଆର) ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ସେମାନେ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଓଏସ୍‌ଆର୍‌ୟୁ ଅନୁଗୋଳ ଜିଲା ସଭାପତି ରଞ୍ଜନ ନନ୍ଦ ଓ ସମ୍ପାଦକ ସତ୍ୟରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ଦଲାଲ ଆଖ୍ୟା ଦେଇ ଏମ୍‌ଆର୍‌ମାନଙ୍କୁ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ଗିରଫ କରାଯାଉଛି। ସେମାନଙ୍କ ବୃତ୍ତିକୁ ବଦନାମ କରାଯିବାର ଷଡ଼ଯନ୍ତ୍ର ଚାଲିଛି। ତେଣୁ ଏପରି ଗିରଫଦାରି ବନ୍ଦ କରିବା ସହ ସରକାରୀ ମେଡିକାଲ ଓ ମେଡିକାଲ କଲେଜଗୁଡ଼ିକରେ ଏମ୍‌ଆର୍‌ମାନଙ୍କୁ ଏକ ଘଣ୍ଟା ପ୍ରଦାନ କରିବାକୁ ଦାବି କରାଯାଇଛି। ସରକାର ଗିରଫଦାରି ବନ୍ଦ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ। ଏହି ବିକ୍ଷୋଭରେ ଶତାଧିକ ଏମ୍‌ଆର ଯୋଗଦେଇଥିଲେ। ପରେ ଜିଲାପାଳଙ୍କୁ ଭେଟି ସେମାନେ ଦାବିପତ୍ର ପ୍ରଦାନ କରିଥିଲେ।