ଦରଦି ଚେହେରା ଜଗନ୍ନାଥ ବେହେରା: ଅନ୍ୟ ପାଇଁ ଲେଖୁଛନ୍ତି ଅଭିଯୋଗପତ୍ର

ବଅଁରପାଳ, ୨୮।୮-ପେଶାରେ ବ୍ୟବସାୟୀ ହେଲେ ବି ଗରିବ, ଅସହାୟ ମଣିଷଙ୍କ ପ୍ରତି ତାଙ୍କ ମଧ୍ୟରେ ଅଛି ଦରଦି ଭାବ। ଥାନା, କୋର୍ଟ, ବ୍ଲକ, ତହସିଲ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସୁଥିବା ଏପରି ମଣିଷଙ୍କ ପାଇଁ ସେ ଲେଖିଦେଉଛନ୍ତି ଅଭିଯୋଗପତ୍ର। ଏଥିପାଇଁ କାହା ନିକଟରୁ ସେ ଅର୍ଥ ନିଅନ୍ତି ନାହିଁ। ଅସହାୟଙ୍କୁ ସହାୟତା କରି ସେ ଆତ୍ମସନ୍ତୋଷ ପାଉଥିବା କହିଛନ୍ତି ବଅଁରପାଳ ବ୍ଲକ ନୂଆହତା ଗ୍ରାମର ଜଗନ୍ନାଥ ବେହେରା ଓରଫ ବାଜି।
ବ୍ଲକ କାର୍ଯ୍ୟାଳୟ ନିକଟରେ ବାଜିଙ୍କ ଏକ ଫଳ ଦୋକାନ ରହିଛି। ସକାଳୁ ରାତି ଯାଏ ଦୋକାନରେ ବ୍ୟବସାୟ କରୁଥିଲେ ମଧ୍ୟ ତାଙ୍କ ନଜର ରହିଥାଏ ଅଭିଯୋଗପତ୍ର ଲେଖିପାରୁ ନ ଥିବା ମଣିଷମାନଙ୍କ ଉପରେ। ଚିହ୍ନା ପରିଚୟ ନ ଥାଇ ବି ସେ ଆପେ ଆପେ ପହଞ୍ଚିଯାଆନ୍ତି ସେମାନଙ୍କ ନିକଟରେ। କେବଳ ବ୍ଲକ କାର୍ଯ୍ୟାଳୟ ନୁହେଁ, ତହସିଲ କିମ୍ବା ଥାନାକୁ କେହି ଅଭିଯୋଗ କରିବାକୁ ଆସିଥିବା ଖବର ପାଇବା ମାତ୍ରେ ସେ ସେଠାରେ ପହଞ୍ଚି ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ସହାୟତା କରିବାକୁ ପ୍ରସ୍ତାବ ଦେଇଥାନ୍ତି। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ହୋଇଥିଲେ ବି ଅତି ସୁନ୍ଦର ଅକ୍ଷରରେ ସେ ନିର୍ଭୁଲ ଭାବେ ଦରଖାସ୍ତ ଲେଖି ବଢ଼ାଇ ଦେଇଥାନ୍ତି। ଦୀର୍ଘ ୨୦ ବର୍ଷ ମଧ୍ୟରେ ସେ ଏପରି ପ୍ରାୟ ୧୫ ହଜାର ଅଭିଯୋଗପତ୍ର ଲେଖି ସାରିଲେଣି। ସେଥିମଧ୍ୟରୁ ଅଧିକାଂଶ ହେଉଛି ସରକାରୀ ଯୋଜନାରୁ ବଞ୍ଚିତ ଗରିବଙ୍କ ଆବେଦନପତ୍ର। ବିଶେଷକରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ କାଳିଆ ଯୋଜନାରେ ସାମିଲ ହେବାକୁ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ଗରିବ ଲୋକଙ୍କ ପାଇଁ ସେ ଅଭିଯୋଗପତ୍ର ଲେଖିଛନ୍ତି। କେବଳ ଏତିକିରେ ସେ ଅଟକିଯାଆନ୍ତିନି ବରଂ ଆବେଦନକାରୀ କିପରି ନ୍ୟାୟ ପାଇପାରିବେ ସେଥିପାଇଁ ମଧ୍ୟ ସେ ଉଦ୍ୟମ କରିଥାନ୍ତି। ଅସହାୟ ଲୋକଙ୍କ ପାଇଁ ଏକ ଦରଦି ଚେହେରା ପାଲଟିଥିବାରୁ ବାଜିଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅଜସ୍ର ପ୍ରଶଂସା ମିଳୁଛି। ଫଳ ଦୋକାନରୁ ଯାହା ରୋଜଗାର ହେଉଛି ସେଥିରେ ସ୍ତ୍ରୀ ଓ ଦୁଇ ଝିଅ ପୁଅଙ୍କୁ ଚଳାଇବାରେ କିଛି ଅସୁବିଧା ହେଉନି ବୋଲି ବାଜି କହିଛନ୍ତି।

(ଉପେନ୍ଦ୍ର ରାଉତ)