ଦମ୍ପତି ଯାଆଁଳା ପିଲାଙ୍କ ନାଁ ରଖିଲେ କରୋନା, କୋଭିଡ୍‌

ରାୟପୁର,୩ା୪: ଏକ ଦମ୍ପତି ସେମାନଙ୍କ ଯାଆଁଳା ପିଲାଙ୍କ ନାମ ରଖିଛନ୍ତି କରୋନା ଏବଂ କୋଭିଡ୍‌। କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯଦି କେହି ଏପରି ନାମକରଣ କରନ୍ତି ତେବେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗିବ। କିନ୍ତୁ ଛତିଶଗଡ଼ର ଦମ୍ପତି ସେମାନଙ୍କ ଯାଆଁଳା ପିଲାଙ୍କର ଏହି ନାମ ଦେଇଛନ୍ତି। ରାୟପୁରର ପୁରୁଣା ବାସିନ୍ଦା ବିନୟ ବର୍ମା, ପ୍ରୀତିଙ୍କର ଯାଆଁଳା ପୁଅ ଏବଂ ଝିଅ ହୋଇଛି। ପୁଅର ନାଁ କୋଭିଡ୍‌ ଏବଂ ଝିଅର ନାମ କରୋନା ରଖିଛନ୍ତି।
ଏକ ସପ୍ତାହ ପୂର୍ବରୁ ରାୟପୁର ମେଡିକାଲ କଲେଜ ହସ୍ପିଟାଲରେ ପ୍ରୀତି ଏହି ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଦୁଇଦିନ ତଳେ ସେମାନଙ୍କର ଏପରି ନାମକରଣ କରିଥିଲେ। ପ୍ରୀତି କହିଛନ୍ତି,ଏଭଳି ପରିସ୍ଥିତିରେ ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର କରିବା ସେ ଏପରି ନାମ ରଖିଛନ୍ତି। ଏହି ନାମ ରଖିବା ପରେ ଅଧିକାଂଶ ୟୁଜର ସୋସିଆଲ ମିଡିଆରେ ସେମାନଙ୍କୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ୟୁଜର ଏପରି ନାମକରଣକୁ ପସନ୍ଦ କରିନାହାନ୍ତି।
ଡାକ୍ତରଙ୍କ ଅନୁଯାୟୀ, ମା’ ଏବଂ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଜଣେ ଶିଶୁର ଓଜନ ୨.୯ କିଲୋଗ୍ରାମ ଏବଂ ଅନ୍ୟ ଜଣକଙ୍କ ଓଜନ ୨.୭ କିଲୋଗ୍ରାମ ରହିଛି। ଡାକ୍ତର ଭୀମା ରାଓ ଆମ୍ବେଦକର ମେମୋରିଆଲ ହସ୍ପିଟାଲର ଡାକ୍ତରମାନେ ଏହି ଅପରେଶନ କରି ଉଭୟ ଶିଶୁଙ୍କୁ ଜନ୍ମ ଦେଇଥିଲେ।

Share